କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡା ମାଡ ଘଟଣାକୁ ନେଇ ପୋଲିସ ଲଗାଇଛି 307 ଦଫା | ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି | ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଖୋଜୁଥିବା ଜଣାପଡିଛି | ପୋଲିସ କାହାକୁ ଖୁସି କରିବାକୁ ଯାଇ ଏଭଳି ସଙ୍ଗିନୀ ଦଫା ଲଗାଇ ନିଜେ ମାମଲା ରୁଜୁ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ | ପୋଲିସ ତୁରନ୍ତ ଏହି ଦଫା ପ୍ରତ୍ୟାହାର ନ କଲେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି | ଜଗତସିଂହପୁର ନାଉଗାଁ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ୍ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି | କଂଗ୍ରେସ ଅଭିଯୋଗ କରିଛି କେନ୍ଦ୍ର ସରକାରଙ୍କ ଅପାରଗତା ଓ ସ୍ୱେଚ୍ଛାଚାରୀତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | କୃଷି ଆଇନ୍ , ବନ୍ଦର ଜାଗାକୁ ବିକ୍ରି , ତୈଳ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ଓ କଙ୍ଗନା ଇସ୍ୟୁ ଭଳି ଘଟଣା ବିବାଦରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ର ସରକାର | ସରକାରଙ୍କ ଏହି ଆଭିମୁଖ୍ୟକୁ ବିରୋଧ କରିବାକୁ ଯାଇ ଗତ 16 ତାରିଖରେ ନାଉଗାଁ ଗ୍ରସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡିକୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡା ମାଡ କରିଥିଲେ ଛାତ୍ର ଓ ଯୁବ କଂଗ୍ରେସର ପିଲା | ଯାହାକୁ ନେଇ ନାଉଗାଁ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସଦୃଶ 307 ଭଳି ଏକ ସଙ୍ଗିନୀ ଦଫାରେ ନିଜେ ଏତଲା ଦେଇଛି | ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧ କରିବାର ସମସ୍ତଙ୍କର ଅଧିକାର ଥିବାବେଳେ ପୋଲିସ କାହାକୁ ଖୁସି କରିବାକୁ ଯାଇ ଏଭଳି ସଙ୍ଗିନୀ ଦଫାରେ ନିଜେ ମାମଲା କରିଛି ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି |
ପୋଲିସ ଏତଲା ଅନୁଯାୟୀ ଯେଉଁ ଯୁବକ ଅଲଣାହାଟ ପାଖରେ ଅଣ୍ଡା ମାରିଲା ସେ ପୁଣି କିଭଳି ଗ୍ରୀନ୍ ଗୋଲା ପାଖରେ ଆସି ଅଣ୍ଡା ମାରିଲା | ଅନ୍ୟପକ୍ଷରେ ମନ୍ତ୍ରୀଙ୍କୁ ଟେକା ପଥର ମାଡ କରାଯାଇଥିବା ପୋଲିସ ତାର ଏତଲାରେ ଦର୍ଶାଉଛି | ଏହା ସମ୍ପୂର୍ଣ୍ଣ ଭୁଲ ଓ ମନ ଗଢା କାହାଣୀ | କେବଳ ନାଉଗାଁ ବ୍ଲକରେ ଛାତ୍ର ଓ ଯୁବ କଂଗ୍ରେସ ପିଲାଙ୍କ ନାମରେ ଏଭଲି ସଙ୍ଗିନୀ ଦଫା ଲଗାଇ କଂଗ୍ରେସ ସଂଗଠନକୁ ଚାପି ଦେବାକୁ ପୋଲିସ ତତ୍ପରତା ପ୍ରକାଶ କରୁଛି | ଯାହାକୁ ତୁରନ୍ତ ପୋଲିସ ମହାନିର୍ଦେଶକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହସ୍ତକ୍ଷେପ କରି ପିଲା ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି | ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା , ବିଚିତ୍ରାନନ୍ଦ ଲେଙ୍କା , ସୁଶାସନ ନାୟକ , ବେଣୁଧର ସ୍ୱାଇଁ , ଶିବ ଚରଣ ନାୟକ , ଚକ୍ରଧର ସ୍ୱାଇଁ , ଶ୍ରୀକାନ୍ତ ପ୍ରଧାନ , ପ୍ରହଲ୍ଲାଦ ବିଶ୍ଵାଳ , ପଦ୍ମଚରଣ ରାଉତ , ଅନାଦି ବାରିକ , ଅକ୍ଷୟ ଜେନା , ଗୌରାଙ୍ଗ ଦାସ , ବାବୁଲି ପଟ୍ଟନାୟକ , ସଂଜୟ କୁମାର ବିଶ୍ଵାଳ ବିନୟ ଭୂଷଣ ମହାପାତ୍ର ବାପି ଦାସ ଓ ଅନ୍ୟ ମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ |