ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି । ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏ ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ। ସ୍ମାର୍ଟ ହେଲ୍ଥ କାର୍ଡ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳ ପାଇଁ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୁଳ ଜିଲ୍ଲା ଯାଇ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂକଳ୍ପ ଓ ତ୍ୟାଗକୁ ସ୍ମରଣ କରିଥିଲେ। ସେମାନଙ୍କ ପ୍ରତିଷ୍ଠିତ ବାଜି ରାଉତ ଛାତ୍ରାବାସ ପାଇଁ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଜିଲ୍ଲାରେ ମିଲେଟ ମିଶନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଥିବା ଯୋଗୁ ସେ ଖୁସି ପ୍ରକାଶ କରି କହିଲେ ଜିଲ୍ଲାରେ ୩୦୦୦ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଏହା ଆମର ପୁଷ୍ଟି ନିରାପତ୍ତାକୁ ମଜବୁତ କରିବ ବୋଲି ସେ କହିଥିଲେ ।
ସେହିପରି ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଶହୀଦ ବାଜିରାଉତ ଓ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଢେଙ୍କାନାଳର ପ୍ରଜାମଣ୍ଡଳ ଆନ୍ଦୋଳନ ଓଡିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହାର ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଥିଲେ।
ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି । ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ କହିଥିଲେ ।
ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପ୍ରମୁଖ ଯୋଗଦେଇଥିଲେ । ଅନୁଗୁଳରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଉପ ବାଚସ୍ପତି ରଜନୀକାନ୍ତ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ ସହ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।