ବାବା ସିଧ୍ୟେଶ୍ୱରଙ୍କ ପୀଠ l ପାଞ୍ଚଶହ ବର୍ଷର ପୁରୁଣା ଏହି ଶୈବପୀଠ l ମହାଦେବଙ୍କ ସ୍ବପ୍ନଦେଶ ପରେ କୁଜଙ୍ଗ ଷଣ୍ଢରାଜା ଏହି ସ୍ଥାନରେ ପାରକେଶ୍ୱର ମନ୍ଦିର ନିର୍ମାଣ କରିଥିଲେ l ଏଠାରେ ସବୁଠାରୁ ବଡ ବିଶେଷତ୍ବ ହେଲା ଅସବର୍ଣ୍ଣମାନେ ଏହି ମନ୍ଦିରରେ ପୂଜା କରିଥାନ୍ତି l ଅନ୍ୟ ମନ୍ଦିରକୁ ଅସବର୍ଣ୍ଣମାନଙ୍କ ପ୍ରବେଶ ପାଇଁ ଅନୁମତି ନ ଥିବା ବେଳେ ଏଠାରେ ସେମାନେ ନିଜେ ଠାକୁରଙ୍କୁ ପୂଜା କରିଥାନ୍ତି l ଆମେ ଆପଣଙ୍କୁ ଆଜି କହୁଛୁ ଜଗତସିଂହପୁର ଜିଲ୍ଲାର ବାବା ସିଧ୍ୟେଶ୍ୱରଙ୍କ ପୀଠ ବିଷୟରେ l ପାରାଦ୍ୱୀପ ଉପକଣ୍ଠରେ ଭିତରଗଡ଼ଠାରେ ରହିଛି ଏହି ଶୈବପୀଠ l ଏହି ମନ୍ଦିର ସମ୍ପର୍କରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମଧ୍ୟ ତାଙ୍କ ଶିବକଳ୍ପର ଅଷ୍ଟମ ପୃଷ୍ଠାରେ ବର୍ଣ୍ଣନା କରିଛନ୍ତି l ଏହା ଏକ ପ୍ରସିଦ୍ଧ ସ୍ଥାନ ହୋଇଥିବା ବେଳେ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି l ପ୍ରଚାର ଓ ପ୍ରସାର ଅଭାବରୁ ଏହି ଶୈବପୀଠ ଲୁକ୍କାୟିତ ଅବସ୍ଥାରେ ରହିଛି l ଓଡିଶା ପଯ୍ୟଟନ ଶିଳ୍ପରେ ଜଗତସିଂହପୁର ଜିଲ୍ଲାର ମା ସାରଳା ପୀଠ ଓ ପାରାଦ୍ୱୀପ ବନ୍ଦରର ସ୍ୱତନ୍ତ୍ର ସ୍ଥାନ ଥିବାବେଳେ ଏହି ଶୈବପୀଠକୁ ସ୍ଥାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାବା ଭଗବାନ ଦାସ ଦୀର୍ଘ 70ବର୍ଷ ଧରି ତପସ୍ୟା କରି ସିଦ୍ଧି ଲାଭ କରିଥିଲେ l ତେଣୁ ଏହି ପୀଠ ସିଧ୍ୟେଶ୍ୱର ନାଁରେ ପରିଚିତ l ଏହି ପୀଠରେ ପାର୍ଶ୍ୱ ଦେବତା ବାବା ପାରକେଶ୍ୱର ମହାଦେବ l ଏହି ପୀଠକୁ ନେଇ ବହୁ ଅଲୌକିକ ଓ ଗୁପ୍ତ ରହସ୍ୟ ରହିଛି l ଏଠାକାର ଆଖପାଖ ଗାଁର ପ୍ରତେକ ଦେବତା ପାରେଶ୍ୱର ନାଁ ରେ ପରିଚିତ l ପୂର୍ବରୁ ଏହି ସ୍ଥାନର ଖୁବ ନିକଟରେ ସମୁଦ୍ର ଥିଲା l ଏହାସହିତ ଏହି ସ୍ଥାନକୁ ଲାଗି ବହିଯାଇଥିଲା ବଟ ନଦୀ l କଥିତ ଅଛି ଜୈନିକ ସାଧବ ଏହି ବାଟଦେଇ ବୋଇତ ନେଇ ଯାଉଥିବା ବେଳେ ତାଙ୍କର ବୋଇତ ବାଲିରେ ଲାଗିଯାଇଥିଲା l ଏହାପରେ ମହାଦେବଙ୍କ ସ୍ବପ୍ନଦେଶ ପରେ ଏହି ସ୍ଥାନରେ କୁଜଙ୍ଗ ଷଣ୍ଢରାଜାଙ୍କ ପ୍ରୋତ୍ସାହନରେ ପାରକେଶ୍ୱର ମନ୍ଦିର ପତିଷ୍ଠା ହେଇଥିଲା l ମନ୍ଦିର ଭିତରେ ରହିଛି ଏକ ଅମୁହାଁ ଦେଉଳ l ଯାହାକି ସିଧ୍ୟେଶ୍ୱର ନାଁରେ ପରିଚିତ l ସମୁଦ୍ର ପଥ ଓ ବଟନଦୀରେ ସାମଗ୍ରୀ ଆସି ଏହି ମନ୍ଦିର ନିର୍ମାଣ ହେଇଥିବା ଜଣାଯାଏ l ଶୁଣିବାକୁ ମିଳେ ଷଣ୍ଢରାଜା ଜୈନିକ ବ୍ରାହ୍ମଣ କନ୍ୟାକୁ ଦେଖି ତାଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇଥିଲେ l ତାଙ୍କ ସାନିଧ୍ୟ୍ୟ ପାଇବା ପାଇଁ ତାଙ୍କୁ ଗୋଡ଼ାଇବାରୁ ସେ ଏହି ମନ୍ଦିରରେ ପଶି ଯାଇଥିଲେ l ଏଠାରେ ସେ ଲୁଚି ମହାଦେବଙ୍କ ଶରଣ ପଶିବାରୁ ଏହି ମନ୍ଦିର ଦ୍ୱାର ଆପେ ଆପେ ବନ୍ଦ ହୋଇଯାଇଥିଲା l ଷଣ୍ଡରାଜା ସେଠି ପହଂଚି ବନ୍ଦ କବାଟ ଦେଖି ସୈନ୍ୟମାନଙ୍କୁ କବାଟ ଭାଙ୍ଗିବାକୁ ନିର୍ଦ୍ଧେଶ ଦେଇଥିଲେ l ସୈନ୍ୟମାନେ କବାଟ ଭାଙ୍ଗିବାକୁ କୁରାଢ଼ୀରେ ଚୋଟ ମାରିବାରୁ ସେଥିରୁ ରକ୍ତଧାର ନିର୍ଗତ ହେଇଥିଲା l ଭୟରେ ରାଜା ସେଠାରୁ ଫେରି ଆସିଥିଲେ l ସେହିଭଳି ଏହି ପୀଠର ଅନେକ ଅଲୌକିକ ମହିମା ଓ ଲୋକକଥା ଅଛି l ଯେମିତି ଜୁଆର ସମୟରେ ସମୁଦ୍ର ପାଣି ମାଡିଆସିବାରୁ ଶିବାଲିଙ୍ଗ ସମ୍ପୂର୍ଣ ବୁଡି ଯାଏ ଓ ଜୁଆର ଛାଡିଲା ପରେ ମନ୍ଦିର ଭିତରେ ଜମି ରହିଥିବା ପାଣି ଆପେ ଆପେ କୁଆଡେ ଲୀନ ହେଇଯାଏ l ଯାହା ପ୍ରଭୁଙ୍କ ମହିମା ବୋଲି କୁହାଯାଏ l ଏଠାରେ ଥିବା ନିମ୍ୱ ଗଛ ବାରମାସୀ ଫୁଲଫଳ ଦେଇଥାଏ l ଦୀର୍ଘ ଦିନରୁ ଥିବା ଏକ ଅଣ୍ଡିରା ତାଳ ଗଛରେ ଫଳ ଧରିବା ମଧ୍ୟ ଏକ ଅଲୌକିକ ଘଟଣା ବୋଲି କୁହାଯାଏ l ଏଠାକୁ ଆସୁଥିବା ଭକ୍ତ କେବେ ଖାଲି ହାତରେ ଯାଆନ୍ତିନି ବୋଲି ବିଶ୍ୱାସ ଅଛି l ବହୁ ସଂକଳ୍ପଧାରୀ ଏହିଠାରେ ସଂକଳ୍ପ କରି ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି l ଏହି ପୀଠରେ ଅନ୍ୟ ଏକ ନିଆରା ଭୋଗ ଯାହାକି ଗଜ ଭୋଗ ବୋଲି ପରିଚିତ l କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ହବିଷକରି ଏଠାରେ ପ୍ରଭୁଙ୍କର ସାନିଧ୍ୟ୍ୟ ପାଇଥାନ୍ତି ବୋଲି ବିଶ୍ୱାସ ଅଛି l କାର୍ତ୍ତିକ ମାସ ପଞ୍ଚୁକରେ ଏଠାକାର ପରିବେଶ ବାଲିଯାତ୍ରା ପରି ଲାଗେ l ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି l ସେହିଭଳି ଜାଗରରେ ମହାଦୀପର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆବେଗ ଓ ଭକ୍ତି ଆଖିରେ ଦେଖିଲେ ହିଁ ବିଶ୍ୱାସ କରିହେବ l ରାଜାଙ୍କ ପରେ ଏ ପୀଠ ଏକ ପ୍ରକାର ଜରାଜିନ୍ନ ଅବସ୍ଥା ଥିଲା l ପରେ ସରକାରଙ୍କ ବିନା ପ୍ରୋତ୍ସାହନରେ ଏ ପୀଠର ରକ୍ଷଣାବେକ୍ଷଣ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତୁଲେଇ ଆସୁଛନ୍ତି l ଲାଲମୋହନ ହାତୀଙ୍କ ତତ୍ୱାବଧାନରେ ପୀଠର ବିକାଶ ହେଇଥିଲା l ଏବେ ଗୋଲକ ଚନ୍ଦ୍ର ନାୟକ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲେଇ ଆସୁଛନ୍ତି l ଯଦି ଏହି ସ୍ଥାନକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳନ୍ତା ତେବେ ପାରାଦ୍ୱୀପକୁ ଆସୁଥିବା ପଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସନ୍ତେ l ଫଳରେ ଏଠାକାର ବିକାଶ ହେଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି l