ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ନିଜର ଶତାଧିକ ସମର୍ଥକଙ୍କ ସହ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ନଭେମ୍ବର ୩ ତାରିଖରେ ସେ ବିଜେଡି ଛାଡିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାଏକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଥିଲେ । ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରି ନ ଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ସଞ୍ଜୀବ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ଲେଖାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ମେ ୨୦୦୫ ରୁ ଫେବୃଆରୀ ୨୦୦୮ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ। ଅନୁଗୁଳ ଜିଲ୍ଲାର ଜଣେ ପୁରୁଣା ବିଜେଡି ନେତା ଭାବେ ସେ ବେଶ ଜଣାଶୁଣା । ସେ ବିଜେପିରେ ସାମିଲ ହେଉଥିବା ନେଇ ତାଙ୍କ ନିକଟତମ ମହଲରୁ ଆଭାସ ମିଳିଥିଲା।