ଦେଶରେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲା ବଢ଼ିବାରେ ଲାଗିଛି । ଖାଲି ଭାରତରେ ନୁହେଁ ୧୦୦ଟି ଦେଶରେ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ରାକେଟ୍ ସକ୍ରିୟ ରହିଛି । ଏହି ରାକେଟରେ ଏସିଆ, ଆଫ୍ରିକା, ଆମେରିକା ଏବଂ ୟୁରୋପ ମହାଦେଶର ପ୍ରାୟ ୫ ହଜାରରୁ ଅଧିକ ଲୋକ ସାମିଲ ଥିବା ସିବିଆଇ କହିଛି । ଏହି ମାମଲାକୁ ଗମ୍ଭୀର ଭାବରେ ଯାଞ୍ଚ କରୁଛି ସିବିଆଇ । ଏ ନେଇ ଖୋଳତାଡ ଆରମ୍ଭ ହୋଇଛି । ଓଡିଶା ସମେତ 14ଟି ରାଜ୍ୟର 76 ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଏହି ଘଟଣାରେ 83 ଜଣକ ବିରୋଧରେ ଅନଲାଇନ ଯୋଗେ ଶିଶୁଙ୍କୁ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିବା ସିବିଆଇ ମୁଖପାତ୍ର ଆରସି ଯୋଶୀ କହିଛନ୍ତି । ଏହି କ୍ରମରେ ସିବିଆଇ ପ୍ରାଥମିକ ତଦନ୍ତରେ ୫୦ରୁ ଅଧିକ ଗୃପ ସମ୍ପର୍କରେ ଖବର ବାହାର କରିଛି । ଏହି ଗୃପର ଏଜେଣ୍ଟମାନେ ଛୋଟ ଛୋଟ ଶିଶୁଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ପର୍ନସାଇଟ୍ ଗୁଡ଼ିକରେ ଅପଲୋଡ଼ କରିଛନ୍ତି । ଏହାକୁ ସୋସିଆଲ ମିଡିଆରେ ପ୍ରସାର ପ୍ରଚାର କରାଯାଉଛି । ଅଶ୍ଳୀଳ ଭିଡିଓ ସହ ଜଡ଼ିତ ଥିବା ପୋଷ୍ଟକୁ ସେୟାର୍ ମଧ୍ୟ କରିଛନ୍ତି । ଏଥିରେ ବିଦେଶ ନାଗରିକ ମଧ୍ୟ ସାମିଲ ରହିଥିବା ଖବର ସାମାନାକୁ ଆସିଛି । ଖାଲି ସେତିକି ନୁହେଁ ପାଖାପାଖି ୧୦୦ରୁ ଅଧିକ ଦେଶର ମୋବାଇଲ୍ ନମ୍ବର ମିଳିଛି । ସିବିଆଇ ଟିମ ଓଡିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ବିହାର, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ଛତିଶଗଡ, ମଧ୍ୟପ୍ରଦେଶ, ହିମାଂଚଳପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ଏହି ଚଢ଼ାଉ କରିଥିଲା ।
ସୂଚନା ଥାଉକି ଏହି ଲିଙ୍କରେ ଢେଙ୍କାନାଳରୁ ଗିରଫ ସୁରେନ୍ଦ୍ର ନାୟକଙ୍କୁ ଅଧିକ ପଚରା ଉଚରା ପାଇଁ ଦିଲ୍ଲୀ ନିଆଯାଇଛି । ସିବିଆଇ ସୁରେନ୍ଦ୍ରଙ୍କ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି । ଏଥିରେ ବିଦେଶୀ ଲିଙ୍କ ଥିବା କଥା ସିବିଆଇ ଜାଣିବାକୁ ପାଇଛି । ସୁରେନ୍ଦ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ସିବିଆଇର 8 ଜଣିଆ ଟିମ ମଙ୍ଗଳବାର ତାଙ୍କୁ ଗିରଫ କରିଥିଲା | ସୁରେନ୍ଦ୍ର ଓରଫ ମିଥୁନଙ୍କ ଘର ଢେଙ୍କାନାଳ ଜୁବଲୀଟାଉନ କଲୋନୀ ସାହିରେ | ସୁରେନ୍ଦ୍ର ୨ ମାସ ପୂର୍ବରୁ ଏହି ଗୃପରେ ସାମିଲ ହୋଇଥିଲେ । ସେ ଦେଶୀ ଏମଏମଏସ ନାମକ ଗୃପରେ ଏଜେଣ୍ଟ ଥିଲେ | ସୁରେନ୍ଦ୍ର ପଚାଶରୁ ଅଧିକ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଅନଲାଇନରେ ବିକ୍ରି କରିଥିଲେ | ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଲୀଳ ଭିଡିଓ ପଠାଇବା ଲାଗି ତାଙ୍କୁ ସପ୍ତାକୁ ୨୧ ଡଲାର ମିଳୁଥିଲା ବୋଲି ମଧ୍ୟ ସେ ସିବିଆଇ ଆଗରେ ସ୍ୱୀକାର କରିଛନ୍ତି |