ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜୋରଦାର ହୋଇଛି । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଓଡିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପ ନିଲମ୍ବିତ ହୋଇଥିଲେ। ନିକଟରେ ତାଙ୍କ ବାସଭବନ ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରଯାଇ ବ୍ୟାପକ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି ।
ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି ମୁଖ୍ୟମନ୍ତ୍ରୀ ।