ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ବୈଠକ। ଆଜି କ୍ୟାବିନେଟ ବୈଠକରେ ପ୍ରାୟ ୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ସେଥିମଧ୍ୟରେ ଏମଏସଏମଇ, ଏସ ଏସପିଡ଼ି, ପଞ୍ଚାୟତିରାଜ, ସ୍ଵାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ବିଭିନ୍ନ ବିଭାଗର କ୍ୟାଡର ରୁଲ୍ ସଂଶୋଧନ ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି। ଏହାବାଦ୍ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ୟାଡର ରୁଲ୍ ସଂଶୋଧନ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷକ ତଥା ଅଡିଟର-ସର୍ଭିସ୍ ରୁଲର ସଂଶୋଧନ ଅଣାଯିବ ବୋଲି ଜଣାଯାଇଛି। ଆସନ୍ତା ୨୦୨୧-୨୨ ଆର୍ଥିକବର୍ଷ ଲାଗି ମନ୍ତ୍ରୀ ପରିଷଦର ଅନୁମୋଦନ ନିଆଯିବ। ତେବେ ୨୦୨୦-୨୧ ଆର୍ଥିକବର୍ଷ ଲାଗି ରାଜ୍ୟ ବଜେଟର ଆକାର ୧ଲକ୍ଷ ୬୧ହଜାର ୭୦୦ କୋଟିକୁ ବୃଦ୍ଧି କରାଯାଇଥିଲା, ହେଲେ କୋଭିଡ଼ ମହାମାରୀ ପାଇଁ ଅଦ୍ୟାବଧୂ ବଜେଟର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ ।କୋଭିଡ଼ ପାଇଁ ନିର୍ମାଣ ଓ ଭିତ୍ତିଭୂମି କାର୍ଯ୍ୟ ପଛେଇ ଯାଇଥିବାରୁ ସିଂହ ଭାଗ ଅର୍ଥ ଏବେ ଏହି ବାବଦରେ ଖର୍ଚ୍ଚ ହେବ। ଚଳିତବର୍ଷ ପୌର ନିର୍ବାଚନ ଏବଂ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ରହିଛି। ଏହାକୁ ଦୃଷ୍ଟିରେ ରଖ୍ କର୍ମଚାରୀଙ୍କ ଦରମା ବାବଦ ପ୍ରଶାସନିକ ଖର୍ଚ୍ଚକୁ ବାଦ୍ ଦେଲେ ସ୍ଵାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ବିଜେଟରେ ପ୍ରାଥମିକତା ଦିଆଯିବାର ସମ୍ଭାବନା ରହିଛି।