ଶିଶୁଙ୍କ ଅଶ୍ଳୀଳ ଭିଡିଓ ଲିଙ୍କର ଚେର ଓଡିଶାକୁ ବି ଲମ୍ବିଛି । ଶିଶୁଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଅନଲାଇନରେ ବିକ୍ରି କରିବା ଏବେ ମହଙ୍ଗା ପଡିଛି | ଏହି ଲିଙ୍କରେ ଢେଙ୍କାନାଳରୁ ଗିରଫ ସୁରେନ୍ଦ୍ର ନାୟକଙ୍କୁ ଅଧିକ ପଚରା ଉଚରା ପାଇଁ ଦିଲ୍ଲୀ ନିଆଯାଇଛି । ସିବିଆଇ ସୁରେନ୍ଦ୍ରଙ୍କ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି । ଏଥିରେ ବିଦେଶୀ ଲିଙ୍କ ଥିବା କଥା ସିବିଆଇ ଜାଣିବାକୁ ପାଇଛି । ସୁରେନ୍ଦ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ସିବିଆଇର 8 ଜଣିଆ ଟିମ ଗତକାଲି ତାଙ୍କୁ ଗିରଫ କରିଥିଲା | ସୁରେନ୍ଦ୍ର ଓରଫ ମିଥୁନଙ୍କ ଘର ଢେଙ୍କାନାଳ ଜୁବଲୀଟାଉନ କଲୋନୀ ସାହିରେ | ସୁରେନ୍ଦ୍ର ୨ ମାସ ପୂର୍ବରୁ ଏହି ଗୃପରେ ସାମିଲ ହୋଇଥିଲେ । ସେ ଦେଶୀ ଏମଏମଏସ ନାମକ ଗୃପରେ ଏଜେଣ୍ଟ ଥିଲେ | ସୁରେନ୍ଦ୍ର ପଚାଶରୁ ଅଧିକ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଅନଲାଇନରେ ବିକ୍ରି କରିଥିବା ମଧ୍ୟ ସିବିଆଇ ଆଗରେ ସ୍ୱୀକାର କରିଛନ୍ତି | ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଲୀଳ ଭିଡିଓ ପଠାଇବା ଲାଗି ତାଙ୍କୁ ସପ୍ତାକୁ ୨୧ ଡଲାର ମିଳୁଥିଲା ।
ଅଭିଯୋଗ ପାଇ ଦିଲ୍ଲୀ ଓ ଭୁବନେଶ୍ୱର ସିବିଆଇ ଶାଖାର ଅଧିକାରୀମାନେ ଗତକାଲି ସକାଳ ଅଚାନକ ସୁରେନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲେ | ଏହି ଘଟଣାକୁ ନେଇ କଲୋନୀ ସାହିର ଲୋକେ ସିବିଆଇ ଟିମ ଉପରେ ଆକ୍ରମଣ କରିଥିଲେ | ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇ ଥିଲା | ବସ୍ତି ବାସିନ୍ଦା ଦୁଇ ଜଣ ସିବିଆଇ ଅଧିକାରୀଙ୍କୁ ଘରେ ପୂରାଇ ତାଲା ପକାଇ ଦେଇଥିଲେ | ଢେଙ୍କାନାଳ ପୋଲିସ ଘଟଣା ସ୍ଥଳରେ ପହଂଚି ସିବିଆଇ ଅଧିକାରୀମାନଙ୍କୁ ମୁକୁଳାଇ ଥିଲେ | ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୨ ଜଣଙ୍କୁ ପଚରାଉଚରା କରିଛି ସିବିଆଇ ଟିମ । ଏମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅନୀଲ ମାଝି ଓ ଭଦ୍ରକ ବନ୍ତ ବ୍ଲକର ଅଟୋ ଚାଳକ ମନୋଜ ଦାସ । ଅନୀଲଙ୍କ ମୋବାଇଲ ଫୋନକୁ ପୋଲିସ ଜବତ କରିଛି । ସିବିଆଇ ଅନୀଲଙ୍କ ବ୍ୟାଙ୍କ ଆକାଂଉଟକୁ ଜବତ କରିଛି |