ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାର ପର୍ଦାଫାସ ହୋଇଛି । ଏହି ଘଟଣାରେ ଜଗତପୁର ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ଲୁଟର ମାଷ୍ଟରମାଇଣ୍ଡ ଥିଲେ ଦୁଇ ଭାଇ । ସେମାନେ ହେଲେ ଗୋବିନ୍ଦପୁର ବାସିନ୍ଦା ଦିପୁ ଓ ଲିପୁ । ପୋଲିସ ସେମାନଙ୍କଠାରୁ ଡକାୟତିରେ ବ୍ୟବହାର କରାଯାଇଥିବା ବନ୍ଧୁକ ଓ ଏକ ଖଣ୍ଡା ଜବତ କରିଛି । ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତବତ ଗତ ମାସ ୪ ତାରିଖରେ ସାଲେପୁର ବ୍ଲକ ସତ୍ୟଭାମାପୁରଠାରେ ଏହି ଡକାୟତି ହୋଇଥିଲା । ସେଦିନ ଅପରାହ୍ନ ପ୍ରାୟ ୧୨ଟା ବେଳେ ଅଭିଯୁକ୍ତମାନେ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ। ଏହାପରେ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଗତକାଲି ଏହି ଗ୍ୟାଙ୍ଗ ର ଦୁଇ ଜଣ ସଦସ୍ୟଙ୍କୁ ଧରିବା ପରେ ଅନ୍ୟ ଦୁଇ ଡକାୟତ ମଧ୍ୟ ଧରା ପଡ଼ିଥିଲେ। ତେବେ ଏହି ଗ୍ୟାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି।