ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ। ପ୍ରଦୂଷଣରେ ଅସହ୍ୟ ହୋଇ ପଡ଼ିଲାଣି ଜନଜୀବନ । ଲୋକଙ୍କୁ ଘରେ ମଧ୍ୟ ମାସ୍କ ଲଗାଇବାକୁ ପଡ଼ୁଛି । ଦୀପାବଳି ପରେ ଦିଲ୍ଲୀ-ଏନସିଆରରେ ବଢ଼ିଥିବା ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣକୁ କମ କରିବା ପାଇଁ ଦରକାର ପଡିଲେ ୨ ଦିନ ଲକଡାଉନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କୋର୍ଟ । ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଖପ୍ପା ହୋଇଛନ୍ତି । ଦିଲ୍ଲୀ ଲୋକଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ଆପଣ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି ଏନ. ବି. ରମନ୍ନା । କେବଳ ଚାଷୀଙ୍କୁ ଦୋଷ ଦେଇ ବସି ପଡିଲେ ଚଳିବ ନାହିଁ ବୋଲି ବିଚାରପତି ଏନ. ବି. ରମନ୍ନା କହିଛନ୍ତି । ଚାଷୀ ବିଲରେ କୁଟା ଜଳାଇବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବାବେଳେ ୬୦ ପ୍ରତିଶତ ପ୍ରଦୂଷଣ ବାଣ ଫୁଟାଇବା, ଯାନବାହାନ ଚଳାଚଳ, ନିର୍ମାଣାଧିନ କାର୍ଯ୍ୟକଳାପ ଯୋଗୁଁ ହେଉଛି । ପ୍ରଦୂଷଣ ରୋକିବାକୁ କେନ୍ଦ୍ର ଓ ଦିଲ୍ଲୀ ସରକାର ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ଆଜି ସୁପ୍ରିମକୋର୍ଟରେ ପ୍ରଦୂଷଣ ଉପରେ ବିଚାର କରିବା ସମୟରେ ଏପରି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅଛନ୍ତି । ନଡ଼ା ନଷ୍ଟ କରିବା ପାଇଁ କୃଷକଙ୍କୁ କାହିଁକି ମାଗଣାରେ ମେସିନ୍ ଦିଆଯାଇ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ । ଆଜି ସକାଳେ ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବହୁତ ଗମ୍ଭୀର ଥିବା ଜଣାଯାଇଛି ।