ଶାଗମାଛ ଦରରେ ବିକ୍ରି ହୋଇଛି ସରକାରୀ ଜିନିଷ । ଲକ୍ଷଲକ୍ଷ ଟଙ୍କାର ଏହି ସବୁ ଦରକାରୀ ଜିନିଷଗୁଡିକୁ ବହୁତ କମ ମୂଲ୍ୟରେ ବିକ୍ରି କରାଯାଇଛି । ଏହି ଦରକାରୀ ଜିନିଷଗୁଡିକୁ କିପରି, କାହାକୁ ଓ କାହିଁକି ଏତେ କମ ମୂଲ୍ୟରେ ବିକ୍ରି କରାଗଲା ତାର କେହି ଟେର ପାଉ ନାହାନ୍ତି । ଏହି ମୂଲ୍ୟବାନ ଜିନିଷଗୁଡିକୁ କାହା ସ୍ବାର୍ଥରେ ବିକ୍ରୟ କରାଗଲା ସେ ନେଇ ପ୍ରଶ୍ନ କରିଛନ୍ତି କେନ୍ଦ୍ରାପଡାର ବୁଦ୍ଧିଜୀବୀ। ଏହାକୁ ବିକ୍ରି କରାଯିବାକୁ ମୁକ୍ତ ଟେଣ୍ଡର ହୋଇନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ବ୍ଲକରୁ । ବ୍ଲକର ଗୋଦାମ ଗୃହରେ ଗଚ୍ଛିତ ଥିବା ବିଭିନ୍ନ ଜିନିଷଗୁଡିକୁ ସ୍କ୍ରାପ ଭାବେ ବିକ୍ରୟ କରାଯିବା ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏହି ଜିନିଷ ମଧ୍ୟରେ କେତେକ ଭଙ୍ଗାରୁଜା ଜିନିଷ ରହିଥିବାବେଳେ ଅନେକ ମୂଲ୍ୟବାନ ଭଲ ଜିନିଷ ଥିବା ସେମାନେ କହିଛନ୍ତି । କଟକ ଜିଲ୍ଲାର ଜଗତପୁରର ଏକ କବାଡିଆ ବାଲାଙ୍କୁ ଏହି ସବୁ ଜିନିଷ ବିକ୍ରୟ କରାଯାଇଥିବା ଅଭିଯୋଗ ହୋଇଛି ।
ଏଥିରେ ରହିଛି ଭିନ୍ନକ୍ଷମମାନଙ୍କ ପାଇଁ ଆସିଥିବା ଶତାଧିକ ଟ୍ରାଇସାଇକେଲ, ନଳକୂପରେ ବ୍ୟବହାର ହେବାକୁ କିଣାଯାଇଥିବା ପିଭିସି ପାଇପ୍, ନଳକୂପରେ ବ୍ୟବହାର ଯୋଗ୍ୟ ବହୁ ନୂଆ ଯନ୍ତ୍ରାଂଶ, ଲୁହା ଛଡ ଆଦି ଅନେକ ଜିନିଷ । ଏହାକୁ ବେଆଇନ ଭାବେ ବିକ୍ରୟ କରାଯିବାରୁ ବହୁଟଙ୍କା କିକ୍ ବ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଯାହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ହଳଧର ସେଠି ଓ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର । କେନ୍ଦ୍ରାପଡା ବ୍ଲକର ବିଡିଓ ଅଶ୍ବିନୀ ଦାସଙ୍କ କହିବା କଥାକି ଏହିସବୁ ଜିନିଷକୁ ବିକ୍ରୟ କରାଯିବାକୁ ଟେଣ୍ଡର ହୋଇଥିଲା । ଯାହାର କାଗଜପତ୍ର ଗଣମାଧ୍ୟମ ପ୍ରତିନିଧିମାନେ ମାଗିବାରୁ ସେ କହିଥିଲେ ଯେ, ସେମିତି ଏସବୁର କାଗଜପତ୍ର ଦେଖାଇ ହେବନି ଆର୍ଟି ଆଇରେ ତଥ୍ୟ ମାଗିଲେ ତାହା ଗଣମାଧ୍ୟମକୁ ଦିଆଯିବ ।