କଟକ ଜିଲ୍ଲା ଚୌଦ୍ୱାରର ଘୋଡାନାଚ ବିଶାରଦ ଉଛବ ଚରଣ ଦାସଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି | ଡକ୍ଟର ଦାସ ଦିଲ୍ଲୀରୁ ଆଜି ତାଙ୍କର ଜନ୍ମମାଟି ଚୌଦ୍ୱାରକୁ ଫେରିଛନ୍ତି | ତାଙ୍କ ର ଏହି ବିରଳ କୃତିତ୍ୱ ପାଇଁ ଚୌଦ୍ୱାର ଶତାଧିକ ଜନସାଧାରଣ ଏକ ବିରାଟ ଶୋଭାଯାତ୍ରା କରି ଚୌଦ୍ୱାର ପ୍ରବେଶ ପଥ ବିରୂପା ବ୍ୟାରେଜ ପାଖରେ ଅପେକ୍ଷା କରିଥିଲେ | ଗୁରୁବାର ସନ୍ଧ୍ୟାରେ ଚୌଦ୍ୱାରବାସୀଙ୍କ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ବାଦ୍ୟର ତାଳେ ତାଳେ ଚୌଦ୍ୱାର ମାଟିର ଗର୍ବଗୌରବ ଉଛବ ଦାସ ସ୍ୱାଗତମ ଧ୍ୱନି ରେ କମ୍ପି ଉଠିଥିଲା ବିରୂପା ବ୍ୟାରେଜ | ପରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଚୌଦ୍ୱାର ନଗର ପରିକ୍ରମା କରାଯାଇଥିଲା |
ଟାଙ୍ଗି ସ୍ଥିତ ମଣିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଉଛବ ପିଲାଟିବେଳୁ ଚୌଦ୍ୱାର ତଳବଜାରରେ ଥିବା ମାମୁଙ୍କ ଘରେ ରହି ପାଠ ପଢୁଥିଲେ | ପିଲାଟିବେଳୁ ଲୋକନୃତ୍ୟ ଘୋଡାନାଚ ପ୍ରତି ତାଙ୍କର ଆଗ୍ରହ ଥିଲା | ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛୋଟ ବେଳୁ ତାଙ୍କର କଳା ପ୍ରତି ଆଗ୍ରହ ଦେଖାଦେଇଥିଲା | ୧୯୬୪ ମସିହାରେ ଚୌଦ୍ୱାରରେ ସେ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ | ପ୍ରତ୍ୟେକ ଦିନ ସନ୍ଧ୍ୟାରେ କିଛି ସହଯୋଗୀଙ୍କୁ ନେଇ ଏହି ଲୋକ କଳାକୁ ଅଭ୍ୟାସ କରନ୍ତି , ପରେ ଘୋଡାନାଚରେ ତାଙ୍କର ଦକ୍ଷତା ଦେଖି ଘୋଡାନାଚ ପରିବେଷଣ ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ଡାକରା ଆସିଥିଲା | ଏହି ପାରମ୍ପରିକ ଲୋକନୃତ୍ୟ ଚଇତି ଘୋଡାନାଚର ସୁରକ୍ଷା, ବିକାଶ ଓ ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ଏହି ଲୋକନୃତ୍ୟକୁ ବିଶ୍ୱଦରବାରରେ ପହଞ୍ଚାଇପାରିଥିଲେ ଶ୍ରୀ ଦାସ | ତାଙ୍କ ର ଏହି ଲୋକନୃତ୍ୟ ପରିବେଷଣ ଏତେ ଆକର୍ସଣ ରହିଥିଲା ଯାହାପାଇଁ ସେ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟ ଏବଂ ଦେଶ ବିଦେଶରେ ମଧ୍ୟ ସେ ସୁପରିଚିତ ହୋଇଥିଲେ | ଲୋକକଳାକୁ ନେଇ ବିଭିନ୍ନ ଅନୁଷ୍ଠାନରୁ ଶତାଧିକ ମାନପତ୍ର ସହ ପୁରସ୍କୃତ ହୋଇପାରିଥିଲେ | ଶେଷରେ ତାଙ୍କର ଲୋକକଳାର ଗାରିମା ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଉପାଧିର ଅଳଙ୍କୃତ ହେବାକୁ ସହାୟ ହୋଇପାରିଥିଲା | ତାଙ୍କ ର ଏହି ସମ୍ମାନ ଚୌଦ୍ୱାର ତଥା ରାଜ୍ୟର କଳା ସଂସ୍କୃତି ପାଇଁ ଏକ ସ୍ଵର୍ଣ୍ଣମ ଅଧ୍ୟାୟ ସୃଷ୍ଟି କରିଛି |