ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ଶୁକ୍ରବାର ସେ ନିଜ ଘର କନ୍ତିରାକୁ ଫେରିଛନ୍ତି । ନନ୍ଦ ସାରଙ୍କୁ ସୁକିନ୍ଦା ଅଞ୍ଚଳ ବାସୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସୁକିନ୍ଦା ରଥ ଛକ ପାଖରେ ପୁଷ୍ପଗୁଚ୍ଛ ଓ ଉତ୍ତରୀ ଦେଇ ସ୍ୱାଗତ କରିଥିଲେ । ପରେ ସେ ସୁକିନ୍ଦା ଗଡର ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ଆଶୀର୍ବାଦ ନେଇଥିଲେ । ନନ୍ଦ ସାରଙ୍କୁ ସ୍ୱାଗତ ପାଇଁ ସ୍ଥାନୀୟ ବାସିନ୍ଦା ସୁକିନ୍ଦାରୁ ଏକ ସୁସଜିତ ରଥରେ ବସାଇ ବିରାଟ ପଟୁଆରରେ ବାଇକ ଶୋଭାଯାତ୍ରା କରି ସହର ପରିକ୍ରମା କରାଇଥିଲେ । ପରେ ସମ୍ମାନର ସହ ତାଙ୍କ ନିଜ ବାସଭବନରେ ଛାଡି ଥିବା ଦେଖିବାକୁ ମିଳିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ସୂଚନା ଥାଉକି ନନ୍ଦ ସାର 6 ତାରିଖ ବିଳମ୍ବିତ ରାତିରେ ଯାଜପୁର ରୋଡ ରେଳଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିଥିଲେ । 9 ତାରିଖରେ ସେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନଗ୍ରହଣ କରିଥିଲେ । ନନ୍ଦକିଶୋରଙ୍କୁ ଏବେ ୧୦୪ ବର୍ଷ । ସେ ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ । ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି । ବୟସର ଅପରାହ୍ନରେ ବି ସେ ଥକି ଯାଇନାହାନ୍ତି । ଆଜି ବି କନ୍ତିରା ଗ୍ରାମର ଏକ ଗଛ ମୂଳେ ପିଲାଙ୍କୁ ପାଠ ପଢାଉଛନ୍ତି । ଆଖପାଖ ଅଞ୍ଚଳରେ ସେ ନନ୍ଦ ମାଷ୍ଟ୍ରେ ବୋଲି ମଧ୍ୟ ଜଣାଶୁଣା ।