ରାଜସ୍ଥାନ ଏବଂ ହରିୟାନାରେ ମିଳିଲା ବେଶ୍ ମୂଲ୍ୟବାନ ସମ୍ପତ୍ତି । ୟୁରାନିୟମର ଏହି ଅସରନ୍ତି ଭଣ୍ଡାର ଯୋଗୁ ଭାରତର ଭାଗ୍ୟ ବଦଳିଯିବ ବୋଲି ଆଲୋଚନା ହେଉଛି । ଦେଶରେ ପରମାଣୁ ବୋମା ପାଇଁ ୟୁରାନିୟମର ବ୍ୟବହାର ସବୁଠାରୁ ଜରୁରୀ । ଏବେ ଭାରତ ପରମାଣୁ ବୋମା ପ୍ରସ୍ତୁତ କରିବାରେ ଜୋରସୋରରେ ଲାଗିପଡ଼ିଛି । ଏଥିସହିତ ବିଦ୍ୟୁତ୍ ଉତ୍ପାଦନ ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ୟୁରାନିୟମର ବହୁତ ଆବଶ୍ୟକତା ରହିଛି । ଏବେ ଯେଉଁ ଖବର ଆସିଛି ତାହା ସମସ୍ତ ଭାରତୀୟଙ୍କୁ ଖୁସି କରିଦେଇଛି । ରାଜ୍ୟର ଅରୁଣାଚଳ ପ୍ରଦେଶ, ବିହାର, ରାଜସ୍ଥାନ ଓ ହରିୟାନାର ବହୁତ ଅଞ୍ଚଳରେ ଏହି ମୂଲ୍ୟବାନ ଧାତୁର ସନ୍ଧାନ ମିଳିଛି । ସବୁଠାରୁ ବଡ଼ ସନ୍ଧାନ ରାଜସ୍ଥାନର ସିକରର ଖଣ୍ଡେଲା ଗ୍ରାମରେ ମିଳିଛି । ଏହି ଗ୍ରାମରେ ୧୦ ହଜାର ଟନ୍ ୟୁରାନିୟମ ଗଚ୍ଛିତ ଥିବା ସନ୍ଧାନ ମିଳିଛି । ଖଣ୍ଡେଲା ଗ୍ରାମର ମାଟିତଳେ ୟୁରାନିୟମ୍ ଗଚ୍ଛିତ ହୋଇଥିବା ୨୨ ବର୍ଷ ତଳୁ ଏକ ସର୍ଭେରୁ ଜଣାପଡ଼ିଥିଲା । ଏବେ ଏହା ସତରେ ପରିଣତ ହୋଇଛି ।
ୟୁରାନିୟମ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏଠାରୁ ୟୁରାନିୟମ୍ ଉତ୍ତୋଳନ କରିବା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ଖୋଲିବା ପାଇଁ ୟୁସିଆଇଏଲ୍ ପକ୍ଷରୁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ଟନେଲ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ନୂତନ ଟେକ୍ନୋଲୋଜିରେ ନିର୍ମିତ ଏହି ଟନେଲର ଲମ୍ବା ୧ କି.ମି ଏବଂ ଚଉଡା ୬ ମିଟର । ୟୁସିଆଇଏଲ୍ ଅଧିକାରୀମାନଙ୍କ କହିବା ଅନୁଯାୟୀ ରାଜସ୍ଥାନର ଏହା ପ୍ରଥମ ୟୁରାନିୟମ୍ ଖଣି ଓ ଭାରତରେ ଏହା ତୃତୀୟ । ରାଜସ୍ଥାନର ରୟାଲ ଗ୍ରାମରେ ୨୩ ହେକ୍ଟର ଜମିରେ ଏହି ୟୁରାନିୟମ ରହିଛି । ଏହାକୁ ଖୋଳି ବାହାର କରିବା ପାଇଁ ୨୦ ବର୍ଷ ସମୟ ଲାଗିପାରେ ବୋଲି ଅଧିକାରୀମାନେ କହିଛନ୍ତି । ୪୦୦ ପୂଟ ଗଭୀର ପର୍ଯ୍ୟନ୍ତ ଏହାକୁ ଖୋଳାଯିବ । ୟୁସିଆଇଏଲ୍ ଏଥିପାଇଁ ଡିପିଆର ପ୍ରସ୍ତୁତ କରିବା କାମ ମଧ୍ୟ ଆରମ୍ଭ କରିଦେଇଛି । ଏହାପୂର୍ବରୁ ଝାଡଖଣ୍ଡ ଏବଂ ତେଲଙ୍ଗନାରେ ଏଭଳି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ରାଜସ୍ଥାନରୁ ସନ୍ଧାନ ମିଳିଥିବା ୟୁରାନିୟମର କ୍ୱାଲିଟି ଝାଡଖଣ୍ଡ ୟୁରାନିୟମ ସହିତ ସମାନ । ତେବେ ଏହି ଖଣି ଉତ୍ତୋଳନ ପ୍ରକ୍ରିୟା ଆରମ୍ଭ ହେଲେ ୩ ହଜାର ଲୋକଙ୍କୁ ରୋଜଗାର ମିଳିପାରିବ । ସୂଚନା ଅନୁଯାୟୀ ଏଠାରୁ ଉତ୍ତୋଳନ କରାଯାଇଥିବା ୟୁରାନିୟମକୁ ନ୍ୟାସନାଲ ଫ୍ୟୁଲ୍ କର୍ପୋରେସନକୁ ପଠାଯିବ । ଏହାର ରିପୋର୍ଟକୁ ଆଧାର କରି ବିଭିନ୍ନ କାର୍ଯ୍ୟରେ ଉପଯୋଗ କରାଯିବ । ସୂଚନା ଥାଉକି କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ଶାସନ କାଳରେ ପରମାଣୁ ପରୀକ୍ଷଣ ପାଇଁ ୟୁରାନିୟମର ସନ୍ଧାନ କରାଯାଇଥିଲା । ୨୦୦୫ରୁ ମୋଦି ସରକାର ପୁଣି ୟୁରାନିୟମ ସନ୍ଧାନରେ ଲାଗିପଡ଼ିଛନ୍ତି ।