୨୦୦୬ ପୂର୍ବରୁ ଅବସର ନେଇଥିବା ସରକାରୀ କର୍ମଚାରୀଙ୍କୁ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ୨୦ ବର୍ଷ କାର୍ଯ୍ୟକାଳ ପୂରା କରିଥିଲେ ମଧ୍ୟ ଆପଣ ପୂରା ପେନ୍ସନ୍ ପାଇବାକୁ ହକ୍ଦାର୍ ହେବେ ବୋଲି ହିମାଚଳ ପ୍ରଦେଶ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କେ.ପି ନାୟାରଙ୍କ ଦ୍ୱାରା ଆଗତ ଏକ ଖଣ୍ଡପୀଠର ଶୁଣାଣି କରି ବିଚାରପତି ସୁରେଶ୍ୱର ଠାକୁର୍ ଏବଂ ସିବି ବାରୋବାଲିଆ ଏହି ରାୟ ଦେଇଛନ୍ତି । ସରକାର ଏକ କୃତ୍ରିମ କଟ୍ ଅଫ୍ ଡେଟ୍ ଆଧାର ଉପରେ ପେନସନ୍ଧାରୀଙ୍କ ଉପରେ ମତଭେଦ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ସୂଚନା ଥାଉକି ୨୦୦୬ରେ ସରକାର ପେନ୍ସନ୍ ପାଇଁ ଚାକିରୀକାଳ ୩୩ ବର୍ଷରୁ କମ୍ କରି ଅତିକମ୍ରେ ୨୦ ବର୍ଷ ରଖିଥିଲେ । ଏହା ପୂର୍ବରୁ ଯଦି କୌଣସି କର୍ମଚାରୀ ୩୩ ବର୍ଷରୁ କମ୍ କାର୍ଯ୍ୟକାଳ ମଧ୍ୟରେ ଅବସର ନେଉଥିଲେ ତେବେ ସେମାନଙ୍କ ପେନ୍ସନ୍ କାର୍ଯ୍ୟକାଳ ଆଧାର ଉପରେ ନିର୍ଣ୍ଣୟ କରାଯାଉଥିଲା । ୨୦୦୬ ପୂର୍ବରୁ ଅବସର ନେଇଥିବା ସରକାରୀ କର୍ମଚାରୀମାନେ ସେମାନଙ୍କ ପ୍ରତି ହେଉଥିବା ଭେଦଭାବ ଏବଂ ଧାରା ୧୪ର ଉଲ୍ଲଘଂନ ହେଉଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ୨୦୦୬ ପୂର୍ବରୁ ଅବସର ନେଇଥିବା କର୍ମଚାରୀମାନେ ମଧ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଲାଭର ହକ୍ଦାର । ସମସ୍ତ ପେନ୍ସନଧାରୀ ଗୋଟିଏ ଏକ ନିର୍ଦ୍ଧିଷ୍ଟ ବର୍ଗ ଗଠନ କରିଥାନ୍ତି । କୃତ୍ରିମ କଟ୍ଫ୍ ଡେଟ୍ ଆଧାର ଉପରେ ସେମାନଙ୍କ ଉପରେ ଭେଦଭାବ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।