ବିହାରର ମୁଖ୍ୟ ପର୍ବ ‘ଛଟ ପୂଜା’ ୩ ଦିନ ତଳେ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ତା’ର ଚତୁର୍ଥ ଦିନ । ଆଜି ପ୍ରାତଃକାଳରେ ମହିଳାମାନେ ନଦୀ କିମ୍ବା ପୋଖରୀକୁ ଯାଇ ଭଗବାନ ସୂର୍ଯ୍ୟଦେବତାଙ୍କୁ ଆରଧନା କରିଥିଲେ । ଉଦିତ ସୂର୍ଯ୍ୟଙ୍କୁ ଦୁଗ୍ଧ ଓ ପାଣି ସହିତ ଅର୍ଘ୍ୟ ଅର୍ପଣ କରିଥିଲେ । ଛଠୀ ମା’ଙ୍କୁ ମନେପକାଇ ମାଆମାନେ ନିଜ ପରିବାରର ସୁଖ ଏବଂ ସମୃଦ୍ଧି କାମନା କରିଥିଲେ । ପରେ ପ୍ରସାଦ ଖାଇ ଉପବାସ ଭାଙ୍ଗିଥିଲେ । କାର୍ତ୍ତିକ ମାସ ଶୁଳ୍କ ପକ୍ଷ ଚତୁର୍ଥୀ ତିଥିରେ ଛଟ ପୂଜା ଆରମ୍ଭ ହୁଏ । ଏହି ପର୍ବ ଚାରି ଦିନ ଧରି ଚାଲେ । ଛଟର ପ୍ରଥମ ଦିନରେ ଗାଧୋଇ ଖାଇ ପୂଜା କରାଯାଏ । ଏହା ପରେ ଦ୍ବିତୀୟ ଦିନରେ ଉପବାସ କରିବାକୁ ପଡ଼ିଥାଏ । ଦିନ ସାରା ଉପବାସ ରହିବା ପରେ ସନ୍ଧ୍ୟାରେ ବ୍ରତଧାରୀମାନେ ପ୍ରସାଦ ସେବନ କରନ୍ତି । ବଡ଼ କଥା ହେଉଛି, ବ୍ରତଧାରୀମାନେ ନିଜ ହାତରେ ଏହି ପ୍ରସାଦ ପ୍ରସ୍ତୁତ କରିଥାଆନ୍ତି । ତୃତୀୟ ଦିନରେ ନଦୀ କୂଳରେ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇ ଥାଏ ।
ଏହା ସହିତ ଅନ୍ତିମ ବା ଚତୁର୍ଥ ଦିନରେ ପ୍ରାତଃକାଳରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରାଯାଏ । ତେବେ ତୃତୀୟ ଦିନରେ ଯେଉଁ ଘାଟରେ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ, ସେହି ଘାଟରୁ ହିଁ ପରଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ । ଏହା ସବୁଠାରୁ କଠିନ ବ୍ରତ ବୋଲି ମାନନ୍ତି । ଛଟ୍ ପୂଜାର ଚତୁର୍ଥ ଦିନରେ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଲୋକମାନେ ଘାଟକୁ ଚାଲିଯାଆନ୍ତି । କୃଷ୍ଣ ପକ୍ଷର ଚନ୍ଦ୍ରମା କାରଣରୁ ଆକାଶରେ କଳା ବାଦଲ ଛାଇ ରହିଥାଏ । ବେତ ବାଉଁଶରେ ତିଆରି ଟୋକେଇଗୁଡ଼ିକୁ ନେଇ ଏକ ଅସ୍ଥାୟୀ ମଣ୍ଡପ ତଳେ ସୁରକ୍ଷିତ ରଖାଯାଏ । ଏହି ମଣ୍ଡପକୁ ଆଖୁ ଡାଳରେ ତିଆରି କରାଯାଇଥାଏ । ଏକ ସ୍ବତନ୍ତ୍ର ଢାଞ୍ଚା ତିଆରି କରି ଏହାର କୋଣଗୁଡ଼ିକ ହାତୀର ଚିତ୍ର ଏବଂ ମାଟିରେ ନିର୍ମିତ ପ୍ରଦୀପ ଦ୍ବାରା ସଜାଯାଇଥାଏ । ଏହା ପରେ ବ୍ରତଧାରୀ ଏବଂ ପରିବାର ସଦସ୍ୟ ନଦୀ କିମ୍ବା ଜଳଭଣ୍ଡାରରେ ଅଣ୍ଟାଏ ପାଣିରେ ଠିଆ ହୋଇ ସୂର୍ଯ୍ୟୋଦୟକୁ ଅପେକ୍ଷା କରନ୍ତି । ଯେମିତି ସୂର୍ଯ୍ୟ ଉଦିତ ହୁଅନ୍ତି ଏବଂ ତାଙ୍କ କିରଣ ପଡିବା ମାତ୍ରେ ଶାଢ଼ୀ ଏବଂ ଧୋତି ପିନ୍ଧିଥିବା ପୁରୁଷ ଓ ମହିଳା ପାଣି ଭିତରକୁ ଓହ୍ଲାଇ ଆସନ୍ତି । ଏହି ସମୟରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ସମୟରେ ଜପ କରାଯାଏ। ଚତୁର୍ଥ ଦିନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ । ପ୍ରକୃତି ମହୋତ୍ସବ ଛଟ ପାଇଁ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ ।