ବିଭିନ୍ନ ଚଳଚ୍ଚିତ୍ରରେ ଆମେ ଉଡନ୍ତା କାର୍ ଦେଖିଛୁ । ଭାରତର ଭବିଷ୍ୟତ ବିଷୟରେ ଚିନ୍ତା କଲେ ଉଡନ୍ତା କାର୍ର କଳ୍ପନା ଆମ ମନରେ ଆସିଥାଏ । ବିଭିନ୍ନ ଦେଶ ପକ୍ଷରୁ ଏବେ ଉଡ଼ନ୍ତା କାର୍ ନିର୍ମାଣ କରାଯାଉଥିବା ଆପଣ ଶୁଣିଥିବେ । ଚୀନ୍ ଓ ଜାପାନ୍ ଭଳି ଦେଶର କମ୍ପାନୀମାନେ ଏହି କାମରେ ଏବେ ଲାଗି ପଡ଼ିଛନ୍ତି । ଭାରତ ମଧ୍ୟ ଏହି କ୍ଷେତ୍ରରେ ପଛରେ ପଡ଼ି ନାହିଁ । ଚେନ୍ନାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏସିଆର ପ୍ରଥମ ମେଡ୍-ଇନ୍-ଇଣ୍ଡିଆ କାର୍ ନିର୍ମାଣ କରିଛି । ଭିନାଟା ଏରୋମୋବିଲିଟି ନାମକ ଏହି କମ୍ପାନୀ ଉଡ଼ନ୍ତା କାର୍ ବା ହାଇବ୍ରିଡ୍ ଫ୍ଲାଇଙ୍ଗ୍ କାର୍ ନିର୍ମାଣ କରିବାରେ ସଫଳ ହୋଇଛି ।୨୦୨୩ ସୁଦ୍ଧା ଦେଶର ଜରୁରୀକାଳୀନ ଚିକିତ୍ସା ସେବା, ମାଲ୍ ପରିବହନ କାର୍ଯ୍ୟରେ ଏହି ଉଡ଼ନ୍ତା କାର୍ ବ୍ୟବହାର କରାଯିବା ନେଇ ଆଶା କରାଯାଉଛି ।ଏହି କାର୍ ଏକ ଭର୍ଟିକାଲ ଟେକ୍ଅଫ୍ ଏବଂ ଲ୍ୟାଣ୍ଡିଂ ମେଶିନ୍ । ଏହାର କନଫିଗୁରେସନ୍ ଏକ କୋ-ଆକ୍ସିଏଲ କ୍ୱାଡ୍ ରୋଟର ଅଟେ । ଏହି କାର ଚାରି ପଟରେ ଡେଣା ଲଗାଯାଇଛି । ଏହା ସିଧା ଭାବରେ ଚାଲିପାରିବ, ଉଡିପାରିବ ଏବଂ ଅବତରଣ ମଧ୍ୟ କରିପାରିବ ।ଏହା ସର୍ବାଧିକ ୩ହଜାର ଫୁଟ ଉଚ୍ଚରେ ଉଡିପାରେ ।
ଦୁଇ ସିଟ୍ ବିଶିଷ୍ଟ ଏହି କାର୍ର ଓଜନ ୧୧ ଶହ କିଲୋଗ୍ରାମ୍ । ଏହା ସର୍ବାଧିକ ୧୩ଶହ କିଲୋଗ୍ରାମ ଓଜନର ସାମଗ୍ରୀକୁ ବୋହି ନେଇପାରିବ । ଏହି କାର୍ ବିଦ୍ୟୁତ୍ ସହିତ ବାୟୋ ଇନ୍ଧନ ବ୍ୟବହାର କରି ଚାଲିପାରିବ । ସୁରକ୍ଷା ଦୃଷ୍ଟିରୁ ଏହି ଉଡ଼ନ୍ତା କାର୍ରେ ଇଜେକ୍ସନ୍ ପାରାଚ୍ୟୁଟ୍ ସହ କକ୍ପିଟ ଲାଗିଥିବା ଏୟାରବ୍ୟାଗ୍ ମଧ୍ୟ ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରକଳ୍ପ କାର୍ଯ୍ୟରେ ବହୁତ ସହାୟତା କରିଛନ୍ତି । ଇସ୍ରୋର ବିଶିଷ୍ଟ ମହାକାଶ ବୈଜ୍ଞାନିକ ଡ. ଏଇ ମୁଥୁନାୟାଗମ୍ ଏହି ପ୍ରୋଜେକ୍ଟର ମୁଖ୍ୟ ପରାମର୍ଶଦାତା ଭାବେ ଅଛନ୍ତି । ଏହି ଅତ୍ୟାଧୁନିକ ଉଡନ୍ତା କାର୍କୁ ଭିନାଟା ଏରୋମୋବିଲିଟି ବିଶ୍ୱର ସର୍ବବୃହତ ହେଲିଟେକ୍ ପ୍ରଦର୍ଶନୀ ଲଣ୍ଡନର ଏକ୍ସେଲଠାରେ ଲଞ୍ଚ କରିବ ବୋଲି ଜଣାଯାଇଛି । ଏହି ସ୍ୱୟଂଚାଳିତ ଉଡନ୍ତା କାର୍ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ କୃତିମ ବୁଦ୍ଧିମତା (ଏଆଇ) ବ୍ୟବହାର କରିଥାଏ । ଏଥିରେ କୌଣସି ପ୍ରକାର ଚାଇନିଜ୍ ସାମଗ୍ରୀର ବ୍ୟବହାର କରାଯାଇ ନ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।