ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ରେଳରୋକ କରିଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ । ଆଜି କେନ୍ଦ୍ରାପଡା ଜିଲ୍ଲା ହରିଦାସପୁର ପାରାଦ୍ବୀପ ରେଳପଥର ଗୋପ ରେଳ ଷ୍ଟେସନରେ ଏହି ରେଳରୋକ କରାଯାଇଛି । ଏହି ରେଳପଥରେ କେବଳ ମାଲବାହୀ ରେଳ ଚଳାଚଳ କରୁଛି । ଯାତ୍ରୀବାହୀ ରେଳ ଚଳାଚଳ କରାଯିବାକୁ ଦୀର୍ଘ ଦିନ ହେବ କେନ୍ଦ୍ରାପଡା ଜିଲ୍ଲାବାସୀ ଦାବି କରିଆସୁଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ଜିଲ୍ଲାବାସୀଙ୍କ କଥାକୁ ଶୁଣୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିସିସି ସଭାପତି ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ଆଜି ଏହି ରେଳରୋକରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ଗଣେଶ୍ବରଙ୍କ କହିବା କଥା କି ଏହି ହରିଦାସପୁର ପାରାଦ୍ବୀପ ରେଳପଥରେ ପାସେଞ୍ଜର ରେଳ ଚାଲିବାକୁ ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ କରି ରେଳବାଇ କର୍ତ୍ତୃପକ୍ଷ ନିରବରେ ବସି ରହିଛନ୍ତି । କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ, ରେଳ କର୍ତ୍ତୃପକ୍ଷଙ୍କୁ ରେଳରୋକ କରିବାକୁ ଆଗୁଆ ନୋଟିସ ଦେଇଥିଲା କଂଗ୍ରେସ । ହେଲେ ରେଳବାଇ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଲେନାହିଁ । ଫଳରେ ରେଳରୋକ କରିବାକୁ ବାଧ୍ୟ ହୋଇଛି କଂଗ୍ରେସ ବୋଲି ଗଣେଶ୍ବର ସୂଚନା ଦେଇଛନ୍ତି ।