ଓଡ଼ିଶାର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ବି ହେବ ନାହିଁ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ କମିଥିଲେ ମଧ୍ୟ ଜନସମାଗମ ଦୃଷ୍ଟିରୁ ଯାତ୍ରା ସମ୍ଭବ ନୁହେଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି । ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁ କୁଟୀର ଶିଳ୍ପ, ହସ୍ତଶିଳ୍ପର କ୍ଷୁଦ୍ର ବ୍ୟବସାୟୀ, ମଧ୍ୟମ ଧରଣର ବ୍ୟବସାୟୀ, ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଚଳିତ ବର୍ଷ ପୁଣି ନିରାଶ ହୋଇଛନ୍ତି । ଲଗାତାର ଦୁଇ ବର୍ଷ ଧରି ବାଲିଯାତ୍ରା ଅନୁଷ୍ଠିତ ହୋଇନଥିବାରୁ ବିଶେଷକରି କୁଟିର ଶିଳ୍ପଗୁଡିକ ଅଧିକ ପ୍ରଭାବିତ ହୋଇଛି । ସାଧାରଣତଃ କଟକର ବାଲିଯାତ୍ରାରେ ୨ହଜାରରୁ ଅଧିକ ଛୋଟ ଓ ବଡ଼ ବ୍ୟବସାୟୀ ଷ୍ଟଲ୍ ଖୋଲିବା ସହ କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି । ବାଲିଯାତ୍ରା ବନ୍ଦ ଯୋଗୁ ସରକାରଙ୍କର ମଧ୍ୟ ବହୁତ ରାଜସ୍ୱହାନୀ ହେଉଛି ।