ବର୍ଷ ୨୦୨୦ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦେଶର ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଦେଇ ପୁରସ୍କୃତ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସୋମବାର ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିତରଣ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ମୋଟ ମୋଟ ୧୪୧ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ୭ ଜଣ ପଦ୍ମବିଭୂଷଣ, ୧୬ ଜଣଙ୍କୁ ପଦ୍ମଭୂଷଣ ଓ ୧୧୮ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୧ଜଣ ଓଡ଼ିଆ ଅଛନ୍ତି। ଓଡ଼ିଆ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ଦିଆଯାଇଥିବା ବେଳେ ମେଡିସିନ ବିଭାଗର ପ୍ରବାସୀ ଓଡ଼ିଆ ଡାକ୍ତର ଦିଗାମ୍ୱର ବେହେରା, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବାସୀ ଓଡ଼ିଆ ପ୍ରଶାନ୍ତ କୁମାର ପଟ୍ଟନାୟକ ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ। ସେହିପରି ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଜୈବିକ କୃଷିରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ପ୍ରଫେସର ରାଧାମୋହନଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଜୈବିକ କୃଷିରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବରମତିଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। ଆଜି ଏହି ବିଶିଷ୍ଟ ୧୧ଜଣ ଓଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।