ଗାଁ ଭିତରେ ଗଜରାଜଙ୍କ ଆତଙ୍କ । ଦନ୍ତା ହାତୀ ଭୟରେ ଭୟଭୀତ ଗାଁ ଲୋକେ । ଏକ ଦନ୍ତା ହାତୀ ଗାଁ ଭିତରକୁ ପଶି ଆସିଛି । ହାତୀଟି ଗାଁ ଦାଣ୍ଡରେ ବୁଲିବା ସହ ଲୋକଙ୍କୁ ମାରିବାକୁ ଗୋଡାଇ ଥିଲା । ଲୋକେ ଭୟରେ ତାଟି କବାଟ କିଳି ଦେଇଥିଲେ । ଆଜି ସକାଳେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଜ ଡେହେଡୁଳ ଫରେଷ୍ଟ ସେକ୍ସନର ବାରିହାପୁର ଗ୍ରାମରେ । ଖବରପାଇ ବନ ବିଭାଗ କର୍ମଚାରୀ ହାତୀକୁ ଘଉଡାଉଥିବା ବେଳେ ଗ୍ରାମର ଜଣେ ବୃଦ୍ଧ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। ହାତୀ ତାଙ୍କୁ ଟେକି କଚାଡି ଦେବାରୁ ସେ ଗୁରତର ଆହାତ ହୋଇଛନ୍ତି । ଆହତ ବୃଦ୍ଧ ଜଣକ ହେଲେ ବଟକୃଷ୍ଣ ମହାରଣା । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ହାତୀକୁ ବର୍ତମାନ ବାରିହାପୁର ଜଙ୍ଗଲକୁ ଘଉଡାଇ ଦେଇଥିବା ବନବିଭାଗ କହିଛି। ଜଣାଯାଇଛି ଯେ , ଏହି ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥାଏ। ଧାନ ଅମଳ ସମୟ ଆସିଲେ ଏହି ଉପଦ୍ରବ ଦୁଇଗୁଣ ବଢିଯାଏ। ହାତୀ ଉପଦ୍ରବ ଯୋଗୁ ଗ୍ରାମର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।