ଭାରତ ବାହାରକୁ ବା ଅନ୍ୟ କୌଣସି ଦେଶକୁ ଯିବାକୁ ହେଲେ ପାସପୋର୍ଟ ଓ ଭିସା ଦରକାର ହୋଇଥାଏ । କିନ୍ତୁ ଆପଣ କ’ଣ କେବେ ଶୁଣିଛନ୍ତି ଭାରତ ମଧ୍ୟରେ ଥିବା ଏକ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ହେଲେ ଅନ୍ୟ ଦେଶର ପାସପୋର୍ଟ ଓ ଭିସା ଦରକାର । ଭାରତର ଏମିତି ଏକ ରେଳ ଷ୍ଟେସନ୍ ଅଛି ଯେଉଁଠିକୁ ଯିବାକୁ ହେଲେ ପଡୋଶୀ ଦେଶ ପାକିସ୍ତାନର ପାସପୋର୍ଟ ଓ ଭିସା ଦରକାର । ଏହା ବିନା ଆପଣ ଯାତ୍ରା କରିପାରିବେ ନାହିଁ । ଯଦି ବିନା ପାସପୋର୍ଟ ଓ ଭିସାରେ ଆପଣ ଧରାପଡ଼ନ୍ତି ଆପଣଙ୍କୁ ସିଧା ଜେଲ୍ ଯିବାକୁ ପଡ଼ିବ ।
ଆସନ୍ତୁ ଜାଣିବା ଏହି ଷ୍ଟେସନ୍ ବିଷୟରେ । ଆମେ ଯେଉଁ ରେଳ ଷ୍ଟେସନ୍ ବିଷୟରେ କହୁଛୁ ତାହା ଭାରତର ଏକମାତ୍ର ଏଭଳି ଏକ ସ୍ଥାନ ଯେଉଁଠିକୁ ଭାରତୀୟଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ । ଆଉ ଯଦି ଯିବେ ପାକିସ୍ତାନ ଭିସା ରଖିବା ନିହାତି ଜରୁରୀ । ଆମେ ଆପଣଙ୍କୁ ପାକିସ୍ତାନ ସୀମାରେ ଥିବା ଅଟାରୀ ରେଲୱେ ଷ୍ଟେସନ୍ ବିଷୟରେ କହୁଛୁ । ଏହି ଷ୍ଟେସନର ପୂରା ନାଁ ହେଲା ଅଟାରୀ ଶ୍ୟାମ ସିଂହ । ଏହା ପଞ୍ଜାବର ଅମୃତସର ଜିଲ୍ଲାରେ ରହିଛି । ଏହି ଷ୍ଟେସନରେ ଯଦି ଆପଣ ବିନା ଭିସାରେ ଧରା ପଡ଼ନ୍ତି ଆପଣଙ୍କୁ ବୈଦେଶିକ ଆଇନର ଧାରା ୧୪ ଅନୁସାରେ ଗିରଫ କରାଯିବ । ଏହି ମାମଲାରେ ଆପଣଙ୍କୁ ବେଲ୍ ମିଳିବା ମଧ୍ୟ ମୁସ୍କିଲ୍ । ଏହି ଷ୍ଟେସନରେ ସମଝୋତା ଏକ୍ସପ୍ରେସ୍କୁ ହଳଦିଆ ପତାକା ଦେଖାଯାଇଥାଏ । ଭାରତ-ପାକିସ୍ତାନ ସୀମାରେ ଏହି ରେଳ ଷ୍ଟେସନ ଥିବାରୁ ସବୁବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଏ । ଖାଲି ଏତିକି ନୁହେଁ ଷ୍ଟେସନରୁ ରେଳ ଟିକେଟ କିଣୁଥିବା ସମସ୍ତ ଯାତ୍ରୀଙ୍କ ପାସପୋର୍ଟ ନମ୍ବର ଲେଖାଯାଇଥାଏ । ଏହା ପରେ ଯାଇ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଷ୍ଟେସନରେ କୁଲି ମଧ୍ୟ ନାହାନ୍ତି । ନିଜ ଜିନିଷ ନିଜେ ଉଠାଇବାକୁ ପଡ଼ିଥାଏ ।