ପ୍ଲାଷ୍ଟିକ୍ରୁ ବାହାରୁଛି ପେଟ୍ରୋଲ୍ । ଏହା ଶୁଣି ଆପଣଙ୍କୁ ଟିକେ ଅଡୁଆ ଲାଗିପାରେ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ । ତରଳ ସୁନା ଭାବେ ପରିଚିତ ପେଟ୍ରୋଲ୍ ଡିଜେଲ୍ ଏବେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ବାହାରି ପାରୁଛି । ଏହା ପାଇଁ ଏକ ମେଶିନ୍ ମଧ୍ୟ ଲଗାଯାଇଛି । ବିହାର ମୁଜାଫରନଗରରେ ଲାଗିଥିବା ଏହି ମେଶିନ୍ର ଗୋଟିଏ ପଟେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଭର୍ତ୍ତି କଲେ ଆରପଟେ ପେଟ୍ରୋଲ୍ ବାହାରୁଛି । ୬ ଟଙ୍କାର ବର୍ଜ୍ୟବସ୍ତରୁୁ ସତୁରୀ ଟଙ୍କାର ପେଟ୍ରୋଲ୍- ଡିଜେଲ ପ୍ରସ୍ତୁତ କରାଯାଇପାରୁଛି । ଏହି ମେଶିନ୍କୁ ମଙ୍ଗଳବାର ଉଦ୍ଘାଟନ କରିଛନ୍ତି ବିହାରର ରାଜସ୍ୱ ଓ ଭୂମି ସୁଧାର ମନ୍ତ୍ରୀ ରାମସୁରତ ରାୟ । ଏହି ପ୍ଲାଣ୍ଟରୁ ପ୍ରସ୍ତୁତ ୧୦ ଲିଟର ଡିଜେଲକୁ ମଧ୍ୟ ମନ୍ତ୍ରୀ କିଣିଛନ୍ତି । ପ୍ରତିଦିନ ୨୦୦ କିଲୋ ପ୍ଲାଷ୍ଟିକ୍ ଅଳିଆରୁ ୧୫୦ ଲିଟର ଡିଜେଲ୍ ଓ ୧୩୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରାଯିବ ।
ଏହି ୟୁନିଟ୍ ପ୍ରତିଦିନ ପ୍ଲାଷ୍ଟିକ୍ ଅଳିଆକୁ ୬ ଟଙ୍କା କିଲୋ ଦରରେ ନଗର ନିଗମଠାରୁ କିଣିବ । ଏହି ୟୁନିଟ୍ର ସିଇଓ ଆଶୁତୋଷ ମଙ୍ଗଳମ୍ଙ୍କ କହିବା ଅନୁସାରେ ଆବର୍ଜନାକୁ ପ୍ରଥମେ ବ୍ୟୁଟେନ୍ରେ ରୂପାନ୍ତର କରାଯିବ । ଏହା ପରେ ବ୍ୟୁଟେନ୍କୁ ଆଇସୋଅକ୍ଟେନ୍ରେ ପରିବର୍ତ୍ତନ କରାଯିବ । ପରେ ଭିନ୍ନ ଭିନ୍ନ ତାପମାତ୍ରା ଦିଆଯାଇ ଆଇସୋଅକ୍ଟେନକୁ ପେଟ୍ରୋଲ୍ ଓ ଡିଜେଲରେ ରୂପାନ୍ତରିତ କରାଯିବ । ଏହି ସମସ୍ତ ପ୍ରକ୍ରିୟା ପାଇଁ ୮ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିବ । ଏଥିରୁ ପ୍ରସ୍ତୁତ ପେଟ୍ରୋଲ୍ ଓ ଡିଜେଲକୁ ଚାଷୀଙ୍କ ସହ ମୁଜାଫରନଗର ମହାନଗର ନିଗମକୁ ଯୋଗାଣ କରାଯିବ । ଲିଟର ପ୍ରତି ୭୦ ଟଙ୍କା ମୂଲ୍ୟରେ ଏହା ବିକ୍ରି କରାଯିବ । ଡେରାଡୁନ୍ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମରେ ଏହି ଡିଜେଲ୍ ଓ ପେଟ୍ରୋଲ୍ର ସଫଳ ପରୀକ୍ଷଣ କରାଯାଇଛି ।