ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ସେ ସମସ୍ତଙ୍କୁ ଆକ୍ରମଣ କରିଛନ୍ତି । ଅଭିଯୁକ୍ତଙ୍କ ଆକ୍ରମଣରେ ମହିଳାଙ୍କ ବାପା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଘଟଣାଟି ଘଟିଛି ଜଗତସିଂହପୁର ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ । ଏହି ଗ୍ରାମର ଶରତ ମଲ୍ଲିକଙ୍କ ବିବାହିତ ଝିଅ ମମିନା ମଲ୍ଲିକ ରବିବାର ସକାଳୁ ଘର ପାଖରେ ଥିବା ଫୁଲ ଗଛରୁ ଫୁଲ ତୋଳୁ ଥିଲେ । ଏହି ସମୟରେ ତାଙ୍କ ପଡୋଶୀ ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ବିଶ୍ଵନାଥ ମଲ୍ଲିକ ମମିନାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ମମିନା ପାଟିକରି ଡାକିବାରୁ ମମିନାଙ୍କ ବାପା ଶରତ, ମା ଝରଣା ଓ ଖୁଡି ଘଟଣାସ୍ଥଳରେ ପହଞ୍ଚିବାରୁ ବିଶ୍ଵନାଥ ସେଠାରୁ ଖସି ପଳାଇଥିଲା। କିଛି ସମୟ ପରେ ବିଶ୍ଵନାଥଙ୍କ ବାପା ରବୀନ୍ଦ୍ର ଆସି ଶରତଙ୍କୁ ମାଡମାରି ତଳେ ପକାଇ ଦେବା ସହ ଏକ ଶାବଳ ସାହାଯ୍ୟରେ ଶରତଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ସେହି ସମୟରେ ବିଶ୍ଵନାଥ ଓ ତାଙ୍କ ଭିଣୋଇ ପପୁ ମଲ୍ଲିକ ମଧ୍ୟ ମମିନାଙ୍କୁ ଟାଣିନେଇ ତାର ଡ୍ରେସ ଚିରି ତାକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେହି ସମୟର ମମିନାଙ୍କ ମା ଓ ଖୁଡି ଛଡାଇବାରୁ ବିଶ୍ଵନାଥ ଓ ପପୁ ତାଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ମମିନାଙ୍କ ମାଙ୍କ ମୁହଁ ଫାଟି ଯାଇଥିଲା । ସ୍ଥାନୀୟ ଲୋକେ ଉକ୍ତ ପରିବାରଙ୍କୁ ନାଉଗାଁ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଶରତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉକ୍ତ ଘଟଣାକୁ ନେଇ ମମିନା ଓ ତାଙ୍କ ମା ଝରଣା ନାଉଗାଁ ଥାନାରେ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ଉଭୟ ପରିବାର ନାମରେ ଦୁଇଟି ମାମଲା ରୁଜୁ କରିଛନ୍ତି । ଅନ୍ୟପଟେ ପୋଲିସ ମମିନା ଓ ତାଙ୍କ ମାକୁ ଜାତିଆଣ ଭେଦଭାବ ଦେଖାଇବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରି ସେମାନଙ୍କ ନାମରେ ଓଲଟା ମାମଲା ରୁଜୁ କରିବାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି l