ଆମେରିକା ଚିକାଗୋର ଜଣେ ଧନୀ ସମାଜସେବୀ ଥିଲେ ଶୀଲା ଭନ୍ ୱିସେ- ମ୍ୟାକ୍ । ତାଙ୍କ ବୟସ ଥିଲା ୬୨ ବର୍ଷ । ୨୦୧୪ ଅଗଷ୍ଟ ମାସରେ ତାଙ୍କୁ ତାଙ୍କ ଝିଅ ହିଦର ମ୍ୟାକ୍ ତାଙ୍କ ବୟଫ୍ରେଣ୍ଡ ଟମି ସେଫରଙ୍କ ସହ ମିଶି ପିଟିପିଟି ହତ୍ୟା କରିଥିଲେ । ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ସୁଟ୍କେସ୍ରେ ଭର୍ତ୍ତି କରି ଇଣ୍ଡୋନେସିଆର ପର୍ଯ୍ୟଟନସ୍ଥଳୀ ରେଗିସ୍ ବାଲି ରିସୋର୍ଟ ନିକଟରେ ପାର୍କ ହୋଇଥିବା ଏକ କାର୍ ଡିକିରେ ରଖି ଦେଇଥିଲେ । ଏହି ଘଟଣାରେ ବାଲି ପୋଲିସ୍ ଝିଅ ହିଦର ମ୍ୟାକ୍ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ୨୦୧୫ରେ ଗିରଫ କରିଥିଲା । ଇଣ୍ଡୋନେସିଆ କୋର୍ଟ ମାକ୍ଙ୍କୁ ୧୦ ବର୍ଷ ଏବଂ ତାଙ୍କ ସହଯୋଗୀ ସେଫରଙ୍କୁ ୧୮ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ସେତେବେଳେ ମ୍ୟାକ୍ଙ୍କୁ ୧୯ ବର୍ଷ ଓ ସେଫରଙ୍କୁ ୨୧ ବର୍ଷ ହୋଇଥିଲା । ଗିରଫ ସମୟରେ ମ୍ୟାକ୍ କିଛି ସପ୍ତାହର ଗର୍ଭବତୀ ମଧ୍ୟ ଥିଲେ । ଶେଫରଙ୍କ ସର୍ମ୍ପକୀୟ ଭାଇ ରବର୍ଟ ବିବ୍ସ ୫୦ହଜାର ଡଲାର ବଦଳରେ ଏହି ହତ୍ୟା ଯୋଜନାରେ ମଧ୍ୟ ସାମିଲ ଥିଲେ । ୨୦୧୬ରେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା । ମ୍ୟାକ୍ଙ୍କୁ ଏବେ ୨୬ ବର୍ଷ । ଆଜି ସେ ଜେଲ୍ରୁ ମୁକୁଳିଛନ୍ତି । ବାଲିର ରାଜଧାନୀ ଡ଼େନପାସାରର କେରୋବୋକାନ ମହିଳା ଜେଲ୍ରୁ ଖଲାସ ହୋଇଛନ୍ତି । ସୁରକ୍ଷା ବଳୟ ମଧ୍ୟରେ ମ୍ୟାକ୍ଙ୍କୁ କାର୍ ଯୋଗେ ବାଲିର ଅନ୍ତର୍ଜାତୀୟ ବିବାନବନ୍ଦର ନିକଟରେ ଥିବା ଇମିଗ୍ରେସନ କାର୍ଯ୍ୟାଳୟକୁ ନିଆଯାଇଥିଲା । ମ୍ୟାକ୍ ଓ ସେଫର୍ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପୂର୍ବରୁ ସେମାନଙ୍କ ଝିଅ ଷ୍ଟେଲା ସେଫର୍ ଜନ୍ମ ହୋଇଥିଲା । ଇଣ୍ଡୋନେସିଆର ନିୟମ ଅନୁଯାୟୀ ସେ ୨ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କ ମା’ଙ୍କ ସହ କେରୋବୋକାନ ମହିଳା ଜେଲ୍ରେ ରହିବାକୁ ଅନୁମତି ପାଇଥିଲେ । ଜେଲରୁ ମୁକୁଳିବା ପର୍ଯ୍ୟନ୍ତ ମ୍ୟାକ୍ ତାଙ୍କ ଝିଅକୁ ଜଣେ ଅଷ୍ଟ୍ରେଲିଆ ମହିଳାଙ୍କୁ ଦେଇଥିଲେ । ଅଗଷ୍ଟରେ ଇଣ୍ଡୋନେସିଆର ସ୍ୱାଧୀନତା ଅବସରରେ ମ୍ୟାକ୍ ପୁରସ୍କୃତ ହୋଇଥିବାରୁ ତାଙ୍କ ଦଣ୍ଡକୁ ୬ ମାସ କମ୍ କରିଦିଆଯିବା ସହ ତାଙ୍କ ଉତ୍ତମ ଆଚରଣ ଯୋଗୁ ୩୪ ମାସ ପର୍ଯ୍ୟନ୍ତ ଜଲେ୍ ଦଣ୍ଡ କମ୍ କି ଦିଆଯାଇଥିବା ଜେଲ୍ ପ୍ରମୁଖ ଲିଲି କହିଛନ୍ତି ।