କୋଟିପତି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ନାଁରେ ଅଭିଯୋଗ ତାଲିକା ଲମ୍ବିବା ପରେ ଆରମ୍ଭ ହୋଇଯାଇଛି ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ତାଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ପ୍ରସନ୍ନଙ୍କ ସରକାରୀ ବାସଭବନ, ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଶୋରୁମ୍, ଲିଙ୍ଗିପୁରସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ାର ସାଉଥ୍ସିଟି ବାର୍ ଓ ଖୋର୍ଦ୍ଧାରେ ଥିବା ଘର ଉପରେ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ଏସ୍ପି ଆର୍. ପ୍ରକାଶ ସ୍ପାର୍କ ଫର୍ଣ୍ଣିଚର ଶୋରୁମ୍ ଉପସ୍ଥିତ ରହି ସମସ୍ତ କାଗଜପତ୍ର ଯାଞ୍ଚ କରୁଛନ୍ତି । ଶୋରୁମ୍ରେ କୋଟି କୋଟି ଟଙ୍କାର ଫର୍ଣ୍ଣିଚର ରହିଛି । କେବଳ ଶୋରୁମ୍ ବିଲ୍ଡିଂର ମୂଲ୍ୟ ୨କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଜଣେ ସାଧାରଣ ଲୋକ ଏହି ଫର୍ଣ୍ଣିଚର କିଣିବା ତ ଦୂରର କଥା କିଣିବାକୁ ଭାବି ମଧ୍ୟ ପାରିବ ନାହିଁ । ଏଥିରେ ନିବେଶ କରାଯାଇଥିବା ଏତେ ଟଙ୍କା କେଉଁଠୁ ଆସିଲା ଏବଂ ଏହା ପଛରେ ଆଉ କାହାର ହାତ ଅଛି କି ନାହିଁ ବୋଲି ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପ୍ରସନ୍ନ ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଥିଲେ । ନିଜ ଭାଇଙ୍କ ନାଁରେ ସାଉଥ୍ ସିଟି ବାର୍ ବେଆଇନ ଭାବେ ଚଳାଉଥିଲେ । ମନୀଷ ହତ୍ୟାକାଣ୍ଡ ପରେ ପ୍ରସନ୍ନଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମନାକୁ ଆସୁଛି ।