ଯାହାର ହାତ ଧରି ସାତଜନ୍ମ ପାଇଁ ସାଥୀ ହୋଇଥିଲେ ସେ ଏବେ ସାଜିଛି ବଇରୀ । ନିଜ ପତ୍ନୀଙ୍କୁ ସୁରକ୍ଷା ଦେବା ତ ଦୂରର କଥା ସ୍ୱାମୀଙ୍କ ପାଇଁ ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ବାହାଘର ପରେ ଶାଶୁ ଘର ଲୋକେ ନିର୍ଯାତନା ଦେବାରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନିକଟକୁ ଗୁଜୁରାଟର ଅହମ୍ମଦାବାଦ ଚାଲିଯାଇଥିଲେ । କିନ୍ତୁ ସ୍ୱାମୀ ସୁରକ୍ଷା ଦେବେ କ’ଣ ଓଲଟା ତାଙ୍କୁ ପ୍ରତିଦିନ ମାରଧର କରୁଛନ୍ତି । ଏହାର ପ୍ରତିବାଦ କଲେ ଇଲେକ୍ଟ୍ରି ଚୁଲାରେ ଜୀଅନ୍ତା ଜାଳି ଦେବାକୁ ଧମକ ବି ଦେଉଛନ୍ତି । ଏପରିକି ତାଙ୍କ ସ୍ୱାମୀ ତାଙ୍କୁ ମାଡ ମାରି ଗୋଡ ଭାଙ୍ଗି ଦେଇଥିବା ମଧ୍ୟ ମହିଳା ଜଣକ ଅଭିଯୋଗ କରିଛନ୍ତି । ସେ କାଳେ ଏହି ନିର୍ଯାତନା ବିଷୟରେ କାହାକୁ ଜଣାଇଦେବେ ସେଥିପାଇଁ ତାଙ୍କ ଫୋନ୍କୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲେ ମୋ ବାପାମା’ଙ୍କୁ ମଧ୍ୟ ମାରିଦେବେ ବୋଲି ଧମକାଉଛନ୍ତି । ମୋ ପାଖରେ ଅନ୍ୟ କିଛି ଉପାୟ ନ ଥିବାରୁ ମୋ ଜୀବନ ବଞ୍ଚାଇବା ପାଇଁ ମୁଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ କରିଛି । ମହିଳା ଜଣକ ସୁଦୂର ଅହମ୍ମଦାବାଦରୁ ଏକ ଭିଡିଓ କରି ଏଭଳି ନିବେଦନ କରୁଥିବା ଦେଖିବାକୁ ମିଳିଛି ।
।
ଜଣାଯାଏ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଲସରା ଗ୍ରାମର ଗରୁଡ ଭୋଳଙ୍କ ପୁଅ ଜ୍ଞାନରଞ୍ଜନ ଭୋଳ ଜଗତସିଂହପୁର ବଡ଼ବଜାର ଅଞ୍ଚଳ ନିରଞ୍ଜନ ମହାପାତ୍ରଙ୍କ ଝିଅକୁ ଗତ କିଛି ବର୍ଷ ତଳେ ବିବାହ କରିଥିଲେ । ଜ୍ଞାନରଞ୍ଜନ ଅହମ୍ମଦାବାଦରେ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ବିଭାଗର ପରେ ପରିବାର ବେଶ୍ କିଛିଦିନ ସୁରୁଖୁରୁରେ ଚାଲିଥିଲା । ସ୍ୱାମୀ ଜ୍ଞାନରଞ୍ଜନ ଅହମ୍ମଦାବାଦ ଗଲା ପରେ ଶାଶୁ ସସ୍ମିତା ଭୋଳ ବୋହୂ ଉପରେ ଯୌତୁକ ନିର୍ଯାତନା ଆରମ୍ଭ କରିଦେଲେ । ନିର୍ଯାତନା ସମ୍ପର୍କରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ସେ ଗାଁକୁ ଆସି ତାଙ୍କୁ ନିଜ ସାଙ୍ଗରେ ଅହମ୍ମଦାବାଦ ନେଇ ଯାଇଥିଲେ । ସେଠାରେ ପତିପତ୍ନୀ କିଛି ଦିନ ଠିକ୍ ଭାବେ ଚଳିବା ପରେ ପୁଣି ସ୍ୱାମୀଙ୍କ ନିର୍ଯାତନା ଆରମ୍ଭ ହୋଇଗଲା । ଅତ୍ୟାଚାରୀ ସ୍ୱାମୀଙ୍କ ଆକ୍ରମଣରେ ଗୁରୁତର ଆହତ ହେବା ପରେ ମହିଳା ଜଣକ ନିଜର ସୁରକ୍ଷା ପାଇଁ ପ୍ରଶାସନର ସାହାଯ୍ୟ ଲୋଡିଛନ୍ତି ।
ସୂଚନାଥାଉକି, ମହିଳାଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ନେଇ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଡ଼ିଣ୍ଡିମ ପିଟୁଛନ୍ତି । ସରକାରଙ୍କ ପକ୍ଷରୁ ଏହା ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଦିନକୁ ଦିନ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ଯୌତୁକ ଜୁଇରେ ପ୍ରତିଦିନ ବହୁ ଅବଳା ନାରୀଙ୍କ ଜୀବନ ନଷ୍ଟ ହୋଇଯାଉଛି । ଅନେକ ସ୍ଥାନରେ ନିର୍ଯାତନା ସହି ନପାରି ମହିଳାମାନେ ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଜଗତସିଂହପୁରରୁ ଆଲୋକ କୁମାର ଶିଶୁଙ୍କ ରିପୋର୍ଟ