ମୁମ୍ୱାଇ: କରୋନା ଟିକାକରଣରେ ଅନିୟମିତତା। ଦେଶରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଏଥିରେ କିଛି ଅନିୟମିତତା ହୋଇଥିବା ଖବର ଆସିଛି। ଖବରଅନୁଯାୟୀ, କିଛି ଘରୋଇ ହସ୍ପିଟାଲ ଦେଶରେ ଚାଲିଥିବା ଏହି ମାଗଣା ଟିକାକରଣର ଫାଇଦା ଉଠାଉଛନ୍ତି। ସେମାନେ ନିଜ ପରିବାର ଏବଂ ବନ୍ଧୁଙ୍କ ମାନ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକାରେ ପକାଉଛନ୍ତି ଏବଂ ତାଙ୍କୁ ଟିକା ଦେଉଛନ୍ତି। ସରକାର ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଲୋକଙ୍କୁ କରୋନା ଟିକା ଦେବା ନେଇ ଯୋଜନା କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଅବମରାବତିର ଅଚଲପୁର ଜିଲ୍ଲା ହସ୍ପିଟାଲ ତଦନ୍ତ ପରିସରକୁ ଆସିସାରିଛି। ଏହି ହସ୍ପିଟାଲ ନିଜ ପରିବାରର ସଦସ୍ୟ ଏବଂ ବନ୍ଧୁଙ୍କୁ ଭ୍ୟାକ୍ସିନ୍ ଦେଇଛି। ଏଭଳି ମାମଲା ଗୋଆ ଏବଂ ଚେନ୍ନାଇରେ ଦେଖିବାକୁ ମିଳିଛି। ଏ ସମସ୍ତଙ୍କୁ କରୋନା ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ମିଳିସାରିଛି। ତେବେ ଏ ନେଇ ସଫେଇ ଦେଇ ଡାକ୍ତର କହିଛନ୍ତି ଯେ, ତାଲିକାରେ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କ ନାମ ତାଲିକାରେ ସାମିଲ ହୋଇପାରିବ।