ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ମାମଲା। ଆର୍ୟନକୁ ଗିରଫ କରି ଏବେ ଚର୍ଚ୍ଚାରେ ଏନସିବିର ୩ ସିଂଘମ ଅଫିସର। ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ବେଳେ ଏକ କ୍ରୁଜ୍ ଜାହାଜ ଉପରେ ଏନସିବି ପକ୍ଷରୁ ବଡ ଚଢାଉ କରାଯାଇଥିଲା। ଏହି ସମୟରେ ଜାହାଜରୁ ଡ୍ରଗ୍ସ, ହେରୋଇନ, ପିଲ୍ସ ଜବତ କରିବା ସହିତ ୮ଜଣଙ୍କୁ ଗିରଫ କରିଥିଲା ଏନସିବି। ଯେଉଁ ମାନଙ୍କ ମଧ୍ୟରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମଧ୍ୟ ସଂପୃକ୍ତ ଥିଲା। ଯାହାକୁ କୋର୍ଟରେ ହାଜର ପରେ ଏବେ ଏନସିବି ନିଜ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ତେବେ ଏହି ମିଶନରେ ୮ରୁ ଉର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ଗିରଫ କରିଥିବା ୩ ଜଣ ଏନସିବିର ଅଫିସରଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏମିତି କି ଏତେ ବଡ ସେଲିବ୍ରିଟିର ପୁଅକୁ ଆରେଷ୍ଟ କରିଥିବାରୁ ଏହି ୩ଅଫିସରଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି।
ଏମାନେ ହେଉଛନ୍ତି ସମୀର ଓ୍ଵାଙ୍ଖେଡେ, ବିଶ୍ଵ ବିଜୟ ସିଂହ ଏବଂ ଆଶିଷ ରଙ୍ଗନ ପ୍ରସାଦ। ଏହି ଘଟଣା ପରେ ଏବେ ଏମାନଙ୍କ ନାଁ ଶୁଣିଲେ କେବଳ ମହାରାଷ୍ଟ୍ର ନୁହେଁ ଦେଶର ବଡ ବଡ ଡ୍ରଗ୍ସ ମାଫିଆଙ୍କ ଭିତରେ ଛନକା ପଶୁଥିବା ଦେଖିବାକୁ ମିଳୁଛି।
ବିଶ୍ଵ ବିଜୟ ସିଂହ, ଏହି ଦକ୍ଷ ଅଫିସର ଯିଏକି ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଛନ୍ତି। ତେବେ କେବଳ ଏହି ଘଟଣା ନୁହେଁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମଧ୍ୟ ବିଶ୍ଵ ବିଜୟ ସିଂହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌବିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ। ସେହିଭଳି ଡ୍ରଗ୍ସ ଲିଙ୍କ ମାମଲାରେ ସେ ଅର୍ଜୁନ ରାମପାଲଙ୍କୁ ମଧ୍ୟ ଜେରା କରିଛନ୍ତି। ଏନସିବିରେ ୧୦ବର୍ଷ ହେଲା କାମ କରୁଥିବା ଏହି ଅଫିସରଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ବେଷ୍ଟ ଅଫିସର ଭାବେ ସମ୍ମାନିତ କରାଯାଇଛି।…
ଆଶିଷ ରାଜନ ପ୍ରସାଦ
କ୍ରୁଜ୍ ଜାହାଜରେ ଚଢାଉ କରି ୮ଜଣଙ୍କୁ ଗିରଫ ମାମଲାରେ ଆଉ ଜଣେ ଅଫିସରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର। ଆଶିଷ ରାଜନ ହେଉଛନ୍ତି ଏନସିବିର ଇଣ୍ଟେଲିଜେନ୍ସ ଅଫିସରୁ। ଘଟଣା ଦିନ ସେ ନିଜେ ହିଁ ଛଦ୍ମ ବେଶରେ କ୍ରୁଜ୍ ଜାହାଜ ମଧ୍ୟରେ ଉପସ୍ଥିତ ରହି ଘଟଣାର ପର୍ଦ୍ଦାଫାଶ କରିଥିଲେ। ଏହା ପୂର୍ବରୁ ଆଶିଷ ସିଆଇଏସଏଫରେ ମଧ୍ୟ ଇଣ୍ଟେଲିଜେନ୍ସ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି। ନିଜର କାର୍ଯ୍ୟ ଦକ୍ଷତା ପାଇଁ ସେ ମିନିଷ୍ଟର ଏକ୍ସିଲେସନ ଆଓ୍ଵାର୍ଡରେ ସମ୍ମାନିତ ହୋଇଛନ୍ତି।
ସମୀର ଓ୍ଵାଙ୍ଖେଡେ, ଏନସିବିର ଜୋନାଲ ଡାଇରେକ୍ଟର। ଏହି ଅଫିସରଙ୍କ କାର୍ଯ୍ୟ ଦକ୍ଷତା ମଧ୍ୟ କିଛି କମ ନୁହେଁ। ବିଗତ କିଛି ବର୍ଷ ଧରି ଏଭଳି କୌଣସି ଡ୍ରଗ୍ସ ଜବତ ମାମଲା ନାହିଁ, ଯେଉଁ ମାମଲାରେ ସେ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହାନ୍ତି। ଡ୍ରଗ୍ସ କାରବାରର ବେତାଜ ବାଦଶାହା ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟଙ୍କ ଠାରୁ ଆରମ୍ଭ କରି ,ଏଥିରେ ସଂପୃକ୍ତ ଥିବା ବଲିଉଡ ଷ୍ଟାର ମାନଙ୍କୁ ମଧ୍ୟ ଜେରା କରି ସେ ଚର୍ଚ୍ଚାରେ ରହି ଆସିଛନ୍ତି।…