ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୧୬ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମକୁ ତାଙ୍କ ଦଳ ବିଜେଡି ମଧ୍ୟ ଆଡ଼ମ୍ବର ପୂର୍ଣ୍ଣ ଭାବେ ସମଗ୍ର ଜିଲ୍ଲାରେ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ଦଳର ପ୍ରାୟ ୧୭ ମନ୍ତ୍ରୀ, ୭୦ ବିଧାୟକ, ୪୦ରୁ ଅଧିକ ଦଳୀୟ ପଦାଧିକାରୀଙ୍କୁ ଫେବୃୟାରୀ ୧୩ ତାରିଖ ସୁଦ୍ଧା ସୁନ୍ଦରଗଡ଼ରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇିଛି। ମିଳିଥିବା ସୂଚନା ଅନୁସାରେ, ଗତମାସରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଭଳି ସୁନ୍ଦରଗଡ଼ ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୬ ତାରିଖରେ ସରକାରୀ ଭାବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ସେଠାରେ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଜିଲ୍ଲାର ୧୭ଟି ବ୍ଲକ, ୩ଟି ପୌରାଂଚଳ ଓ ଗୋଟିଏ ମହାନଗରର ପ୍ରାୟ ସାଢ଼େ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଅବା ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ ଫାଇଦା ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ୨୦୧୭ ପଂଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଏବେ ଫୋକସରେ ରଖି ଏସବୁ କାର୍ଯ୍ୟକ୍ରମ ହାତକୁ ନେଇଛି। ଗତ ପଂଚାୟତ ନିର୍ବାଚନରେ କଳାହାଣ୍ଡି ଭଳି ସୁନ୍ଦରଗଡ଼ ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଥିଲା। ସାଧାରଣ ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଅନ୍ୟ ସ୍ଥାନଗୁଡ଼ିକ ଭଳି ଉତ୍ସାହଜନକ ରହିନି। ତେଣୁ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ସେଠାରେ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ମିଶି ସେମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦିନ ରାଜ୍ୟର ଉପକୂଳ ଓ ଅନ୍ୟାନ୍ୟ ଅଂଚଳରୁ ଯାଇଥିବା ଦଳୀୟ ବିଧାୟକ ଓ ନେତାମାନେ ସେଠାରେ ସ୍ଥାନୀୟ ନେତାମାନଙ୍କ ସହ ମିଶି ରାଜ୍ୟ ସରକାରଙ୍କର ସଫଳତାର ବାର୍ତ୍ତା ସେହି ଅଂଚଳର ସାଧାରଣ ଲୋକଙ୍କ ପାଖରେ ପହଂଚାଇବେ ବୋଲି ଜଣାପଡ଼ିଛି।