ଶାରଦୀୟ ପୂଜା ଉପଲକ୍ଷେ —– ବାଣପୁର ର ମା’ ଭଗବତୀ – ଭୁଷଣ୍ଡପୁର ର ମା’ ଉଗ୍ରତାରା ଙ୍କ ପୀଠରେ ସ୍ଵତନ୍ତ୍ର ପୂଜା ପାଠ
ଶାରଦୀୟ ପୂଜା କୁ ନେଇ ବିଭିନ୍ନ ଶକ୍ତି ଓ ତନ୍ତ୍ର ପୀଠ ରେ ସ୍ଵତନ୍ତ୍ର ପୂଜା ପାଠ କରାଯାଉଛି । ଶ୍ରଦ୍ଧାଳୁ ନିଜ ମାନସିକ ପୂରଣ ପାଇଁ ପୂଜା ପାଠ କରିଥାନ୍ତି ମାତ୍ର କୋଭିଡ କଟକଣା ଯୋଗୁଁ ଏଥର ଆଉ ଭକ୍ତମାନେ ସେହିଭଳି ଆସୁନାହାନ୍ତି । ଆମେ କହୁଛୁ ଓଡିଶା ର ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ଭାବେ ପରିଗଣିତ ହେଉଥିବା ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ର ମା’ ଉଗ୍ରତାରା ଙ୍କ ପୀଠ ଏବଂ ବାଣପୁର ର ମା’ ଭଗବତୀ ଙ୍କ ପୀଠ କଥା । ଶକ୍ତି ପୀଠ ତଥା ତନ୍ତ୍ର ପୀଠ ଭାବେ ଏହି ଦୁଇ ପୀଠ ବେଶ-ଜଣାଶୁଣା । ଏହି ପୀଠକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଛି । ଶାରଦୀୟ ପୂଜା ଉପଲକ୍ଷେ ଏହି ପୀଠ ଅଧିକରୁ ଅଧିକ ଚଳଚଞ୍ଚଳ ହୋଇ ଉଠିଥାଏ କିନ୍ତୁ ଏବେ ଜନ ଶୂନ୍ୟ ହୋଇଛି , କେବେଳ ମା’ ଙ୍କର ନୀତି କାନ୍ତି ଅନୁଷ୍ଠିତ ହେଉଛି । ଖୋର୍ଦ୍ଧା ଜିଲ୍ଲାର ଏହି ଦୁଇ ଶକ୍ତି ପୀଠ ଯାହାକି ତନ୍ତ୍ର ପୀଠ ଏବଂ ଐତିହାସିକ ପୀଠ ଭାବେ ବେଶ ପରିଚିତ । ବାଣପୁର ର ମା’ ଭଗବତୀ ଙ୍କ ପୀଠ ଅବା ଟାଙ୍ଗୀ-ଭୁଷଣ୍ଡପୁର ର ମା’ ଉଗ୍ରତାରା ଙ୍କ ପୀଠ , ଯେଉଁ ପୀଠରେ ମହାପ୍ରସାଦ ସହ ଆମିଷ ଭୋଗ ଠାକୁରାଣୀ ଙ୍କୁ ଲାଗି କରାଯାଇ ଥାଏ । ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ସହସ୍ର କୁମ୍ଭ ବରଣ କରାଯାଇ ଏହି ଶାରଦୀୟ ପୂଜା ର ରୀତି-ନୀତି ଆରମ୍ଭ ହୋଇଥାଏ ।
ଖୋର୍ଦ୍ଧା ଜିଲ୍ଲା ର ଏହି ଦୁଇ ତନ୍ତ୍ର ପୀଠରେ ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । ମା’ ଙ୍କୁ ଦର୍ଶନ ସହିତ ମା’ ଙ୍କର କୃପା ଲାଭ ପାଇଁ ଭକ୍ତ ଙ୍କ ଆଗମନ ଉପରେ ଏବେ ରୋକ ଲାଗିଛି , ତଥାପି କାଁଭାଁ ଭକ୍ତଙ୍କୁ ଦେଖିବାକୁ ମିଳିଥାଏ । ଶାରଦୀୟ ପୂଜା ପାଇଁ ମା’ ଗର୍ଭ ଗୃହରେ ଗୁପ୍ତ ପୂଜା ସହିତ ଭିନ୍ନ ରୀତି-ନୀତି ରେ ପୂଜାପଣ୍ଡା ମାନଙ୍କ ଦ୍ଵାରା ପୂଜା ପାଠ ସମ୍ପନ୍ନ ହେଉଛି । ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ମା’ ପୂଜା କରାଯାଉଛି । ମା’ ଭଗବତୀ ଏବଂ ମା’ ଉଗ୍ରତାରା ଙ୍କ ନିକଟରେ ଅଖଣ୍ଡ ପ୍ରଦୀପ ପ୍ରଜ୍ଜୋଳିତ କରାଯାଇଥାଏ । ଏହି ଶାରଦୀୟ ପୂଜାପାଠ ବେଳେ ଏଠାରେ ନଅ ଦିନ ପର୍ଯ୍ୟନ୍ତ [ ନବରାତ୍ର ] ପୂଜା କରାଯାଏ । ଏହି ଦିନ ମାନଙ୍କରେ ପ୍ରତେକ ଦିନ ମା’ ଭିନ୍ନ-ଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ପୂଜା କରାଯାଇ ଥାଏ । ବିଶ୍ଵାସ କରାଯାଏ ଯେ ମା’ ଦୂର୍ଗା ତାଙ୍କର ଭକ୍ତଙ୍କ ପାଇଁ ସମସ୍ତ ଅସୁବିଧା ଦୂର କରିଥାନ୍ତି । ମା’ ଶୈଳ ପୁତ୍ରୀ , ମାତା ବ୍ରହ୍ମ ଚାରିଣୀ , ମାତା ଚନ୍ଦ୍ର ଘଣ୍ଟା ଏବଂ ମାତା କୁଶମଣ୍ଡାର , ମାତା ସ୍କନ୍ଦମାତା , ମାତା କାତ୍ୟାୟନୀ , ମା’ କାଳରାତ୍ରୀ , ମା’ ମହାଗୌରୀ , ମାତା ସିଦ୍ଧିଦାତ୍ରୀ , ମାତା ବୀଜୟା ଦଶମୀ ଅପାରୁବା ବେଶରେ ମା’ ସୁସଜ୍ଜିତ କରାଯାଇ ପୂଜାପାଠ କରାଯାଇଥାଏ । ଶାରଦୀୟ ପୂଜାପାର୍ବଣ ସମୟରେ ମା’ ଙ୍କୁ ଦର୍ଶନ କଲେ ବିଶେଷ ଫଳପ୍ରଦ ହୋଇଥାଏ , ଏପରିକି ମନୋସ୍କାମନା ପୂର୍ଣ ହୋଇଥାଏ ।