ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ତଥା ଅଲମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଦଳର ଅଧିନାୟକ ଥିବା ବୀରେନ୍ଦ୍ର ହକିରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ଜିତିଥିଲା। ଏହି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ ରୋହିଦାସ ସାମିଲ ଥିଲେ । ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୁଲିସ ବିଭାଗରେ ଡିଏସପି ଭାବେ ନିଯୁକ୍ତି ଦେଇଥିଲେ । ଆଉ ଅଲମ୍ପିକ୍ସରେ ଏତେ ବଡ ସଫଳତା ପାଇବା ପରେ ଏବେ ଅବସର ଘୋଷଣା କରିଛନ୍ତି ବୀରେନ୍ଦ୍ର । ଭାରତୀୟ ହକି ଦଳର ସଫଳତମ ଖେଳାଳି ଥିବା ବୀରେନ୍ଦ୍ର ପଡିଆରେ ଡିଫେଣ୍ଡର କାମ କରୁଥିଲେ। ପ୍ରତିପକ୍ଷକୁ କିଭଳି ଡିଫେଣ୍ଡ କରିହେବ ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ବୀରେନ୍ଦ୍ର । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ ଖେଳିଥିବା ବୀରେନ୍ଦ୍ର ୨୦୦୭ରେ ଭାରତୀୟ ଜୁନିୟର ହକି ଟିମରେ ସାମିଲ ହୋଇଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ବୀରେନ୍ଦ୍ର । ଲଗାତାର ମ୍ୟାଚ୍ ଖେଳିବା ସହ ଦଳର ନିର୍ଭରଯୋଗ୍ୟ ଖେଳାଳି ଭାବେ ପରିଚିତ ହୋଇଥିଲେ ବୀରେନ୍ଦ୍ର ଏହାପୂର୍ବରୁ ଆଜି ଭାରତୀୟ ହକି ଦଳର ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ମଧ୍ୟ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ । ରୂପିନ୍ଦର ମଧ୍ୟ ଅଲମ୍ପିକ୍ସ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ ।
#BirendraLakra #NNSODIA