ନିଜ ସ୍ୱପ୍ନର ଘର ତିଆରି କରିବା ପ୍ରତ୍ୟେକଙ୍କ ପାଇଁ ସବୁଠାରୁ ବଡ ସ୍ୱପ୍ନ । ହେଲେ ସ୍ୱପ୍ନ ପୂରଣ ପାଇଁ ଅନେକ ଲୋକଙ୍କ ପାଇଁ ଟଙ୍କା ସାଜିଥାଏ ବାଧକ । କାରଣ ଘର ତିଆରି ତ ଛୋଟ କଥା ନୁହେଁ । ସେଥିପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ଘର ତିଆରି ସମ୍ପୂର୍ଣ୍ଣ କରିବା ଯେ କେତେ କଷ୍ଟକର ,ତାହା କେବଳ ଘରତିଆରି କଲା ଲୋକ ହିଁ ଜାଣିଛି । ତେବେ ଭାଵନ୍ତୁତ ଯଦି ବିନା କୌଣସି ଝିନଝଟ ରେ ମାତ୍ର ତିନି ଲକ୍ଷ ଟଙ୍କାରେ ଘର ଆସି ଆପଣଙ୍କ ପାଖରେ ପହଁଚିବ ତାହେଲେ କେମିତି ହେବ । ଆଜ୍ଞା ହଁ ଦର୍ଶକବନ୍ଧୁ ଏଭଳି ଏକ ଅଭିନବ ଆଉ ନିଆରା ପ୍ରଚେଷ୍ଟା କରି ଚର୍ଚ୍ଚାରେ ଅଛନ୍ତି କଟକ ତେଲେଙ୍ଗାପେଣ୍ଠର ସ୍ୱସ୍ତି ପଟ୍ଟନାୟକ । ଇଟା,ପଥର,ବାଲି କିମ୍ବା ସିମେଣ୍ଟର ବ୍ୟବହାର ନୁହେଁ ଫାଇବରରେ ନିର୍ମାଣ କରାଯାଇଛି ଏହି ଘର । ଅବିକଳ ଘର ପରି ଲାଗୁଥିବା ଏହି 1BHK ଆଉ 2 BHK ଘର ଚାଇନା ରେ କି ଜାପାନରେ ନୁହଁ ବରଂ କଟକ ସହରରେ ଦେଖିବାକୁ ମିଳିଛି । କଟକ କଲ୍ୟାଣ ନଗର ଅଞ୍ଚଳର ବାସିନ୍ଦା ଏସ୍ ଏସ୍ କାଜଲ କ୍ରାଫ୍ଟ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ କାଜଲ ପଟ୍ଟନାୟକଙ୍କ ଝିଅ ସ୍ୱସ୍ତି ପଟ୍ଟନାୟକ । କୀଟ ବିଶ୍ଵ ବିଦ୍ୟାଳୟରୁ ଫ୍ୟାସନ ଡ଼ିଜାଇନିଂରେ ଡ଼ିଗ୍ରୀ କରିବା ପରେ ପରେ ସ୍ୱସ୍ତି ଫାଇବର୍ ତିଆରି ସାମଗ୍ରୀକୁ ନିଜ ପେଶା ଭାବେ ଗ୍ରହଣ କରିଛନ୍ତି। ଲୁହା ରେଲିଂ ଏବଂ ଫାଇବରରେ ତିଆରି ଏହି ଘରେ ଏକ ପରିବାର ରହିବା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଉ ସବୁଠାରୁ ମଜାଦାର କଥା ହେଉଛି ଏହି ଘରଟି ମୁଭେବୁଲ ଅର୍ଥାତ୍ କୌଣସି ଏକ ଟ୍ରକରେ ଘରଟିକୁ ନେଇ ଅନ୍ୟ ସ୍ଥାନରେ ରଖି ରହିହେବ। ଗତ ଜୁଲାଇ ମାସରୁ ଏହି ଘର ତିଆରି କାର୍ଯ୍ୟ ଆରମ୍ଭ ହୋଇ ଥିଲା । ଏବଂ ମାତ୍ର ଦୁଇ ମାସ ମଧ୍ୟରେ ଘରଟି ସମୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଛି। ବଡ ଘରଟିରେ ଦାମ୍ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଛୋଟ ଘରଟିର ଦାମ୍ ୧ ଲକ୍ଷ ୯୦ ହଜାର ଟଙ୍କା। ଯେଉଁଥିରେ ଆରାମରେ ଦୁଇଜଣ ଲୋକ ରହି ପାରିବେ । ଓଡିଶାରେ ଏହି ଘର ପ୍ରଥମ ହୋଇଥିବା ବେଳେ ଆଗକୁ ଏହାକୁ ବିକ୍ରୀ ପାଇଁ ମଧ୍ୟ ଯୋଜନା ରହିଛି । ଯଦି ଏହାକୁ ସରକାରଙ୍କ ଷ୍ଟାର୍ଟ ଅଫ ପ୍ରୋଗ୍ରାମରେ ସାମିଲ କରାଯାଏ ତେବେ ଏହା ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ସ୍ୱସ୍ତି । ଘର ତିଆରି କ୍ଷେତ୍ରରେ ଏହି ନୂତନ ପଦକ୍ଷେପକୁ ସାଧାରଣ ଲୋକେ ଏହାକୁ କେତେ ମାତ୍ରାରେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
#movableHouse #cuttack #NNSODIA