ମିଆଁମାର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ସମୟରେ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ବଙ୍ଗୋପସାଗରରେ ତଥା ଓଡ଼ିଶା ଉପକୂଳରେ ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ୨୫ରୁ ୨୭ତାରିଖ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ,କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଅନ୍ୟପକ୍ଷରେ ଚଳିତ ମାସରେ ଭଲ ବର୍ଷା ହେବା ସତ୍ତ୍ୱେ ରାଜ୍ୟର ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝର, ଦେବଗଡ଼, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଚଳିତ ମୌସୁମୀରେ ହାରାହାରି ବର୍ଷା ତୁଳନାରେ ୧୯ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ ଓଡ଼ିଶାରେ ଗତ ଜୁନ ମାସଠାରୁ ଆଜି ପର୍ଯ୍ୟନ୍ତ ହାରାହାରି ୮.୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
#Odisha #weather #HeavyRain #NNSODIA