ଭୁବନେଶ୍ୱର : ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ ଏଥିଲାଗି ଚଳିତ ବଜେଟରେ କେନ୍ଦ୍ର ସରକାର ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ଗୋୟଲ ଦାବି କରିଛନ୍ତି ।ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ନିର୍ମାଣାଧିନ ମୋଟ୍ ୪, ୮୭୭ କିଲୋମିଟର ଲାଇନ ପାଇଁ ହୋଇଥିବା ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳରେ ଏହା ଏକ ଅଂଶ ବୋଲି କୁହାଯାଇଛି ।୨୮୯ କିଲୋମିଟର ଲମ୍ବର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ପାଇଁ ୫୦୦ କୋଟି ଟଙ୍କା, ୯୮.୭ କିଲୋମିଟର ଲମ୍ବର ଅନୁଗୁଳ-ସୁକିନ୍ଦା ରୋଡ୍ ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି ଟଙ୍କା, ୧୫୪ କିମି ତାଳଚେର-ବିମଳାଗଡ଼ ପାଇଁ ୧୦ କୋଟି ଟଙ୍କା, ୧୩୦ କିଲୋମିଟର ଜୟପୁର-ମାଲକାନାଗିରି ରୁଟ୍ ପାଇଁ ୨୮ କୋଟି ଟଙ୍କା, ୩୮ କିଲୋମିଟର ଲମ୍ବର ଜୟପୁର-ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରେଳମନ୍ତ୍ରୀ ।