ଜୟପୁର : ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ତାଙ୍କୁ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗତ ମାସେ ଧରି ଅସୁସ୍ଥ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ରକ୍ତ ଚାପ ବଢିବା ସହିତ କିଡନୀ ସମସ୍ୟା ରହିଛି। ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ। କୃଷି କ୍ଷେତ୍ରରେ ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।