ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୧ରେ ଆସୁଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ଉପକୂଳରେ ନୂତନ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି ଯାହା ଆସନ୍ତା ୧୧ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ପ୍ରାୟ ଏକ ସପ୍ତାହ କିମ୍ବା ଅଧିକ ସମୟ ଯାଏଁ ପୂର୍ବ ଏବଂ କେନ୍ଦ୍ରୀୟ ଅଂଶଗୁଡିକ ଉପରେ ମୌସୁମୀ ବର୍ଷା ଲାଗି ରହିବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ଆଶଙ୍କା ରହିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଜିଲ୍ଲାରେ ପାଗିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ସହିତ କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ । ତେବେ ପୂର୍ବ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୯୯୨.୫ ମିମି ବର୍ଷା ହେବାକଥା କିନ୍ତୁ ସେପ୍ଟେମ୍ବର ୭ଦିନର ବର୍ଷା ଅଭାବୀ ବର୍ଷାର ପରିମାଣକୁ ମାତ୍ର ୨% କମାଇବାରେ ସକ୍ଷମ ହୋଇ ପାରିଛି । ଏବେ ବି ରାଜ୍ୟର ୨୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ତନ୍ମଧ୍ୟରୁ ୫ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଛି । ତେବେ ଏହି ଲଘୁଚାପ ରାଜ୍ୟରେ ନିଅଣ୍ଟିଆ ବର୍ଷାର ଭରଣା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
#weather #NNSODIA