ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା । ଜାରି ହେଲା ୟେଲୋ-ୱାର୍ଣ୍ଣିଂ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ୫ ଦିନ ବ୍ୟବଧାନରେ ୬ ଓ ୧୧ ତାରିଖରେ ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବା ଆଶା କରାଯାଉଛି । କିନ୍ତୁ ଏହି ବର୍ଷା ରାଜ୍ୟରେ ଏତେଟା ଚାଷ ଉପଯୋଗୀ ହେବ ନାହିଁ ବୋଲି ଆଇଏମ୍ଡି ସୂଚନା ଦେଇଛି । ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପରେଖା ଓଡ଼ିଶାର ଗୋପାଳପୁର ମଧ୍ୟ ଦେଇ ପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି । ଯାହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ । ତେବେ ଆଜି ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ସାମାନ୍ୟ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ରାଜ୍ୟରେ ଆସନ୍ତା ୩ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ଧୀରେଧୀରେ ବଢ଼ିପାରେ ଏବଂ ୪ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଆଖପାଖ ଅଞ୍ଚଳଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୫ ଏବଂ ୬ ତାରିଖ ଦିନ ବର୍ଷାର ପରିମାଣ ଓ ପ୍ରଭାବ ସାମାନ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।
#weather #odisha #NNSODIA