ୟୁନାଇଟେଡ୍ କିଙ୍ଗ୍ଡମ୍ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ବିଶ୍ୱବ୍ରହ୍ମାଣ୍ଡର ସର୍ବବୃହତ୍ତ ଦେବତା ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି, ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା । ଏହି ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ନମ୍ବର ଉଇଦିଂଟନ୍ ରୋଡ୍ସ୍ଥିତ ଗୀତା ଭବନ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ କପଡ଼ାରେ ଭବ୍ୟ ଢଙ୍ଗରେ ସଜା ଯାଇଥିବା ଦେଖାଯାଇଥିଲା ।
ଏହି ପ୍ରତିମା ସ୍ଥାପନା ଉତ୍ସବକୁ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ସେମାନଙ୍କ ପରିବାର ସହିତ ସମ୍ମିଳିତ ହୋଇଥିଲେ । ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀ ଏବଂ ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ,ଗଗନ ପବନକୁ ପ୍ରକମ୍ପିତ କରିବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା । ଏହି ଉତ୍ସବରେ ଡକ୍ଟର ଶିବ ସେନାପତି ପାରମ୍ପରିକ ଛେରା ପହଁରା କାର୍ଯ୍ୟ ତୁଲାଇଥିଲେ । ଏହା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ପରେ ଭଜନ, କୀର୍ତ୍ତନର ତାଳରେ ରଥଟିକୁ ଉଇଦିଂଟନ୍, ଉଇଲ୍ବ୍ରାହାମ୍, ବାଣ୍ଟିଂହମ୍ ଏବଂ ଆଲେକ୍ଜାଣ୍ଡ୍ରା ସାଉଥ୍ ଆଦି ରାସ୍ତାରେ ଟଣାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା ।
ରଥ ଉପରେ ଶୋଭା ପାଉଥିବା ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ଶୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କର ଅପୂର୍ବ ଓ ଅଲୌକିକ ଝଲକ ଖୁବ୍ ଅନନ୍ୟ ଓ ଅପାଶୋରା ଥିଲା । ଭାରତୀୟ ଓ ବିଦେଶୀ ଭକ୍ତମାନେ ରଥାରୁଢ଼ ଠାକୁରମାନଙ୍କର ଦିବ୍ୟ ଦର୍ଶନ ଲାଭର ପୂଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ସନ୍ଧ୍ୟାରେ ଠାକୁରମାନଙ୍କୁ ସ୍ଥାନୀୟ ଇସ୍କନ ଟିମ୍ ଦ୍ୱାରା ପ୍ରସ୍ତୁତ ପ୍ରସାଦ ଅର୍ପଣ କରାଯାଇଥିଲା । ଉପସ୍ଥିତ ଭକ୍ତମାନେ ମଧ୍ୟ ପୁରୀ ଆନନ୍ଦ ବଜାରର ଅବଢ଼ା ଶୈଳୀରେ ପ୍ରସ୍ତୁତ ଏହି ସ୍ୱାଦିଷ୍ଟ ପ୍ରସାଦ ସେବନର ସୁଯୋଗ ଲାଭ କରିଥିଲେ । ମାଞ୍ଚେଷ୍ଟରଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ଥାପନା ହେବାଦ୍ୱାରା ଉତ୍ତର-ପଶ୍ଚିମ ଇଂଲଣ୍ଡ ଇଲାକାରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ଉତ୍ସବର ପ୍ରଧାନ ଆୟୋଜକ ଓ ପ୍ରସିଦ୍ଧ ଜଗନ୍ନାଥ ଭକ୍ତ ଡକ୍ଟର ଶିବ ସେନାପତି ଓ ଶ୍ରୀମତୀ ରେଖା ସେନାପତି ମତପ୍ରକାଶ କରିଛନ୍ତି ।