ରାଜ୍ୟ ସରକାର ବୁଣାକାର ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବୁଣାକାର ମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି । ବର୍ତ୍ତମାନ ଓଡିଶାରେ ତିଆରି ହସ୍ତତନ୍ତର ମଧ୍ୟ ବେଶ୍ ଚାହିଦା ରହିଛି । କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ହଜାର ହଜାର ବୁଣାକାର ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି । ଏହି ପ୍ୟାକେଜରେ କଂକ୍ରିଟ ହୋଇନଥିବା ୧୫,୦୦୦ ଲୁମ ପିଟ କୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବା ସହିତ ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭିତ୍ତିରେ ହାଉସ କମ ୱାର୍କ ସେଡ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୧୧୬୯୫ ଟି ହାଉସ କମ ୱାର୍କ ସେଡ ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ସମସ୍ତ ଯୋଗ୍ୟ ବୁଣାକାର ପରିବାର କୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତ ରାଜ ବିଭାଗ ର ଗାଇଡଲାଇନ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ। ଏହି ପ୍ୟାକେଜ ରେ ବୁଣାକାର ମାନେ ଯେପରି ସୁବିଧା ରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
#bjd #HandloomProject #NNSODIA