କେନ୍ଦ୍ରାପଡାରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଜଗତସିଂହପୁର ଜିଲ୍ଲାରେ ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।ବିଚ୍ ରାଜରାସ୍ତାରେ ନିଜ ସ୍ୱାମୀଙ୍କ ସହ ମିଶି ଜଣେ ବାଇକ୍ ଆରୋହୀଙ୍କୁ ମାଡମାରିବା ସହ ତାଙ୍କ ବାଇକ୍ ଛଡାଇନେବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଘଟଣାକୁ ପ୍ରତିବାଦ କରି ସ୍ଥାନୀୟ ଲୋକମାନେ ସଂପୃକ୍ତ ମହିଳା ସବ-ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅଟକାଇ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିବା ପରି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତିର୍ତ୍ତୋଲ ଥାନାରେ କର୍ତ୍ତବ୍ୟରତ ମହିଳା ସବ-ଇନ୍ସପେକ୍ଟର ଧରିତ୍ରୀ ଜେନାଙ୍କ ଦବଙ୍ଗଗିରିକୁ ନେଇ ସମଗ୍ର ଥାନା ଅଞ୍ଚଳରେ ଚର୍ଚ୍ଚା ହୋଇଆସୁଥିବା ବେଳେ ଆଜି କଟକ-ପାରାଦ୍ୱୀପ ରାଜରାସ୍ତାରେ ଦେଖିବାକୁ ମିଳିଛି କାରନାମା।ପୋଲିସ ପୋଷାକରେ ନଥାଇ ଧରିତ୍ରୀ ଜେନା ନିଜ ସ୍ୱାମୀ ସହ ଏକ କାରରେ ଯାଉଥିଲେ।ହଠାତ କାରଟି ରାସ୍ତା ମଝିରେ ବ୍ରେକ ମାରିଦେବାରୁ କାରପଛରେ ଏକ ବାଇକ ସାମାନ୍ୟ ଧକ୍କା ଦେଇଥିଲା।ବାସ୍ ଏତିକିରେ କୁଆଡେ ଆରମ୍ଭ ହେଲା ମହିଳା ସବ-ଇନ୍ସପେକ୍ଟର ଧରିତ୍ରୀ ଜେନା ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି।ରାସ୍ତା ମଝିରେ କାର ରଖି ବାଇକ୍ ଆରୋହୀଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସ୍ୱାମୀ ସ୍ତ୍ରୀ ମାଡମାରିଲେ।ଯୁବକ ଜଣଙ୍କ ସମ୍ପର୍କୀୟଙ୍କ ଅପରେସନ ପାଇଁ ମେଡିକାଲକୁ ଯାଉଥିବା କହି ଭୁଲମାଗି ଯେତେ କାକୁତିମିନତୀ ହେଲେ ମଧ୍ୟ ମହିଳା ସବ-ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀ ଅମାନୁଷିକ ଭାବେ ମାଡମାରି ତାଙ୍କ ଗାଡି ଛଡାଇନେଇଥିଲେ।ମହିଳା ସବ-ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କ ଏହି ଅଗଣତାନ୍ତ୍ରିକ ଓ ଅସାମାଜିକ ବ୍ୟବହାରକୁ ନେଇ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଥିଲେ।ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ପ୍ରତିବାଦ କରିବା ସହ କଟକ-ପାରାଦ୍ୱୀପ ରାସ୍ତାକୁ ନେହେରୁ ବଜାର ଠାରେ ଟାୟାର ଜାଳି ଏକଘଣ୍ଟା ଧରି ଅବରୋଧ କରିଥିଲେ।ଖବରପାଇ ଅନ୍ୟ କେତେକ ପୋଲିସ କର୍ମଚାରୀ ଆନ୍ଦୋଳନକାରୀଙ୍କୁ ଧମକଚମକ ଦେଇଥିବା ବେଳେ ପ୍ରତିବାଦ ଉଗ୍ରରୁପ ନେଇଥିଲା।ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଯୋଗୁଁ ପୋଲିସ ଯୁବକ ଜଣଙ୍କ ବାଇକ୍ ଆଣି ଆନ୍ଦୋଳନସ୍ଥଳରେ ହସ୍ତାନ୍ତର କରିବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।ସମ୍ପୃକ୍ତ ମହିଳା ସବ-ଇନ୍ସପେକ୍ଟର ଧରିତ୍ରୀ ଜେନାଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ସହ ଚୋର ଧରିବାକୁ ଯାଇଥିବା ହାବିଲଦାରକୁ ଚୋର ଗୋଡେଇ ଗୋଡେଇ ମାଡମାରିବା ଘଟଣା କିଛିଦିନ ତଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଚୋର କବଳରୁ ନିଜ କର୍ମଚାରୀକୁ ରକ୍ଷା କରିପାରିନଥିବା ମହିଳା ସବ-ଇନ୍ସପେକ୍ଟର ଧରିତ୍ରୀ ଜେନା ମେଡିକାଲକୁ ଯାଉଥିବା ନିରୀହ ଯୁବକକୁ ମାଡମାରିବା ଘଟଣା ଏବେ ପୋଲିସ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛି।।
#jagatsinghpur #NNSODIA