ଜୟପୁର : ରାଜସ୍ଥାନର ଟଙ୍କ-କୋଟା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍କୁ ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହାତମାନେ ଖାଟୁ ଶ୍ୟାମ ଜୀ ଠାରୁ ସେମାନଙ୍କର ଘର ମଧ୍ୟପ୍ରଦେଶର ରାଜଗଡ଼ ଯାଉଥିଲେ। ପୁଲିସ୍ର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଫୋର୍ସ ଟ୍ରାଭେଲର୍ରେ ୧୪ ଜଣ ଯାତ୍ରୀ ରହିଥିଲେ। ମିନି ବସ୍ର ଡ୍ରାଇଭର ସ୍ଥାନୀୟ ଓଭରବ୍ରିଜ୍ ଉପରେ ଓଭରଟେକ୍ କରୁଥିବା ବେଳେ ସାମ୍ନା ପଟୁ ଆଉ ଏକ ଗାଡ଼ି ଆସୁଥିବା ଦେଖି ବ୍ରେକ୍ ଲଗାଇଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଖୁବ ଜୋରରେ ଉକ୍ତ ବସକୁ ଧକ୍କା ଦେଇଥିଲା।ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଟ୍ରକର ଟ୍ରଲିଟି ସିଧା ବସ୍ ଉପରେ ପଡ଼ିଯାଇଥିଲା। ଏହା ମଧ୍ୟରେ ଚାପି ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ବସ୍ ମଧ୍ୟରୁ ୪ ଜଣଙ୍କୁ ବାହାର କରି ଟଙ୍କରେ ଥିବା ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ବି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।