ସରପଞ୍ଚ ପ୍ରତିନିଧିଙ୍କ କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ। ପ୍ରତିନିଧିଙ୍କ କାର୍ଯ୍ୟକଳାପ ଓ ବ୍ୟବହାର ଉପରେ ଅତିଷ୍ଟ ହୋଇ ରାଜ ରାସ୍ତାକୁ ଓହ୍ଲାଇଲେ ଗ୍ରାମର ଯୁବଗୋଷ୍ଠୀ। ଘଟଣା ହେଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର। ସରପଞ୍ଚ ମୀନାକ୍ଷୀ ଦାସଙ୍କ ସ୍ବାମୀ କୃଷ୍ଣ ପ୍ରସାଦ ଦାସ ପଞ୍ଚାୟତକୁ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନିଜେ ଏବଂ ତାଙ୍କ ସହଯୋଗୀ ଠିକାଦାରଙ୍କୁ ବଣ୍ଟନ କରି ଲାଲେ ଲାଲ୍ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ଦ୍ବାରା ଗ୍ରାମକୁ ଆସିଥିବା କଲ୍ୟାଣ ମଣ୍ଡପ ପାଇଁ ୪୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାକୁ କଲ୍ୟାଣମଣ୍ଡପ ନକରି ଗ୍ରାମର ବିଭିନ୍ନ ଗଳି ରାସ୍ତା କାମ କରିବା ପାଇଁ ନିଜ ଠିକାଦାର ମାନଙ୍କୁ ଦେଇ ଟଙ୍କା ହଡପ କରୁଥିବା କହିଛନ୍ତି ଗ୍ରାମର ଯୁବଗୋଷ୍ଠୀ। ଗ୍ରାମର କିଛି ବେକାର ଯୁବକ ରୋଜଗାରକ୍ଷମ ନିମନ୍ତେ ଗ୍ରାମକୁ ଆସିଥିବା କାମ କରିବା ପାଇଁ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ। ସେଥିପାଇଁ ସରପଞ୍ଚ ଯୁବକ ମାନଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ।
କିନ୍ତୁ ସରପଞ୍ଚଙ୍କ ସ୍ବାମୀ କୃଷ୍ଣ ପ୍ରସାଦ ସେ ପ୍ରତିଶୃତିକୁ ଖଣ୍ଡନ କରି କୌଣସି କାର୍ଯ୍ୟକୁ ଗ୍ରାମର ଯୁବକ ମାନଙ୍କୁ ନଦେଇ ନିଜ କ୍ଷମତା ବଳରେ ସବୁ ଉନ୍ନତି ମୂଳକ କାର୍ଯ୍ୟ ବନ୍ଦ କରିବାର ଧମକ ଦେଇଥିଲେ । ଏମିତି କି, ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଗୁଲଜ କରିଥିଲେ । ଏନେଇ ଗ୍ରାମବାସୀ ମାନେ ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ପଙ୍କପାଳ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଜଙ୍ଗ ବିଡିଓଙ୍କୁ ନିବେଦନ କରିଛନ୍ତି। ଯଦି କୃଷ୍ଣ ପ୍ରସାଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହା ହେଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।