କଟକ: ଦିନପରେ ଦିନ ମାସ ପରେ ମାସ ଗଡି ଚାଲିଛି। ହେଲେ ସରକାରଙ୍କ ପ୍ରତିଶ୍ରୁତି ଧୂଆଁବାଣ ସାଜିଛି। ଏବେ ବି ପାଣି ପାଇଁ କରିବାକୁ ପଡ଼ୁଛି ସଂଘର୍ଷ। ଏବେ ବି ଗାଁର ମା,ମାଉଷୀଙ୍କୁ ପାଣି ମୁନ୍ଦାଏ ପାଇଁ ଲମ୍ବା ଲାଇନରେ ଛିଡା ହେବାକୁ ପଡ଼ୁଛି। ଆଉ ଏହାରି ମଧ୍ୟରେ ଆଗକୁ ଆସୁଛି ଖରାଦିନ। ଯାହାକି ଳୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ପାଣି ଟୋପାଏ ପାଇଁ ହନ୍ତସନ୍ତ ।କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ କୁଶପଙ୍ଗି ପଞ୍ଚାୟତ ରାଜୀବ ନଗର ଗ୍ରାମରେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ଗ୍ରାମରେ ୫୦୦ ଶହରୁ ଉର୍ଦ୍ଦ୍ବ ପରିବାର ବାସ କରୁଥିବା ବେଳେ ପାଣି ପାଇଁ ହେଉଛନ୍ତି ହନ୍ତସନ୍ତ। ଗ୍ରାମରେ ଦୁଇଟି ଟ୍ୟୁବଲ ଥିଲେ ବି ତାହା ମଧ୍ୟ ପିଇବା ପାଇଁ ଉପଯୋଗୀ ନୁହେଁ। ସେପଟେ ଗ୍ରାମରେ ପାଇପ ଲାଇନ ସଂଯୋଗ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ପାଣି ପାଇବାରୁ ବଞ୍ଚିତ ଗ୍ରାମବାସୀ ।ପାଣି ଟୋପେ ପାଇଁ ଗ୍ରାମର ମହିଳା ମାନଙ୍କୁ ପାଖରେ ଥିବା ଡମପଡା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ପାଇପ ଲାଇନ ଉପରେ ନିର୍ଭର କରିବାକୁ ପଡେ। ଆଉ ଉକ୍ତ ପାଇପ ଲାଇନରୁ ଯେଉଁ ବଳକା ପାଣି ତଳେ ବୋହିଯାଏ ତାହାକୁ ଛାଣି ଘର ପାଇଁ ଆଣିବାକୁ ପଡେ ।ଏମିତିକି କେବେ କେବେ ପାଣି ଟୋପେ ଆଣିବାକୁ ଗାଁର ମହିଳାଙ୍କୁ ଯିବାକୁ ପଡେ କୋସେ ବାଟ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠି ବାସ କରୁଥିବା ଲୋକେ ସାଧାରଣତ ସମାଜର ପଛୁଆ ବର୍ଗର ଲୋକେ ହୋଇଥିବାରୁ କେହି ସେମାନଙ୍କ କଥା ଶୁଣୁ ନାଁହାନ୍ତି ବୋଲି ଗ୍ରାମର ମହିଳା ଆଣିଛନ୍ତି ଅଭିଯୋଗ। ଗ୍ରାମବସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣେଇ ଥିଲେ ବି ଫଳ ଶୂନ। ଭୋଟ ଆସିଲେ କେବଳ ପ୍ରତିଶ୍ରୁତି। ଏପର୍ୟ୍ୟନ୍ତ ପାଣି ସମସ୍ୟା ଦୂର କରିବା ଦିଗରେ କୌଣସି ସରପଞ୍ଚ କିମ୍ବା ସ୍ଥାନୀୟ ବିଧାୟକ ସହଯୋଗର ହାତ ବଢ଼ାଇଲେ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ତେଣୁ ତୁରନ୍ତ ଗ୍ରାମର ପାଣି ସମସ୍ୟାକୁ ଯଦି ସମାଧାନ କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କୁ କେହି ଜଣାଇ ନାଁହାନ୍ତି କି ସେ ଏ ବାବଦରେ ଅବଗତ ନାଁହାନ୍ତି ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆଉ ତୁରନ୍ତ ଅନୁଧ୍ୟାନ କରାଯାଇ ଉକ୍ତ ଗ୍ରାମରେ ସୁଧପାଣି ଯୋଗେଇ ଦେବାର ବ୍ୟବସ୍ଥା କରାଯିବା ବୋଲି ପ୍ରତିକ୍ରିୟା ରଖିଛନ୍ତି ।ତେବେ ଆଉ ମାତ୍ର ଦିନ କେଇଟା ପରେ ରାଜ୍ୟରେ ଆରମ୍ଭ ହୋଇଯିବ ଗ୍ରୀଷ୍ମ ପ୍ରବାହ। ତେଣୁ ଏହାରି ମଧ୍ୟରେ ବିଭାଗୀୟ ଅଧିକାରୀ ଦେଇଥିବା ତାଙ୍କ ପ୍ରତିଶ୍ରୁତି କେତେ ଦୂର ପାଳନ କରୁଛନ୍ତି ଏବଂ କେବେ ଏହା ବାସ୍ତବ ରୂପ ନେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର।