କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ। ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ। ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଭୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ରୟର ବ୍ୟବସ୍ଥା କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। କେବଳ ୯୦ଟି ଷ୍ଟଲ ମାଧ୍ୟମରେ ବିକ୍ରିବଟାର ସୁବିଧା କରାଯାଇଛି। ଏହି ମେଳାକୁ ଭର୍ଚୁଆଲ ମୋଡରେ ମଧ୍ୟ ଖୋଲାଯାଇଛି। କୋଭିଡ କଟକଣା ଯୋଗୁଁ ସାମଗ୍ରୀର ଇ-ମାର୍କେଟିଂର ସୁବିଧା ମଧ୍ୟ କରାଯାଇଛି। ଆଗ୍ରହୀ ଗ୍ରାହକ ଘରେ ବସି ସାମଗ୍ରୀ ବରାଦ ଦେଇପାରିବେ। ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରାଯିବାକୁ କୁହାଯାଇଛି। ଏହାସହ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।