ଭୁବନେଶ୍ୱର : ଆଉ ନାହାନ୍ତି ୯୦ ଦଶକର ଲୋକପ୍ରୀୟ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡ ସିଂ । ହୃଦ୍ଘାତରେ ଆଜି ତାଙ୍କର ପରୋଲୋକ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେରେ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୯୦ ଦଶକରେ ଆକାଶବାଣୀର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରୀୟ ସ୍ୱର ଉପେନ୍ଦ୍ରଙ୍କର ଥିବା ବେଳେ ତାଙ୍କର ସମ୍ବାଦ ପଢିବାର ଶୈଳୀ ତାଙ୍କୁ ସମସ୍ତଙ୍କ ଠାରୁ ଏକ ଭିନ୍ନ ପରିଚୟ ଦେଇଥିଲା । ଜଣେ ଲିଜେଣ୍ଡଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ସିଂହ। ତାଙ୍କ ନିଆରା ସମ୍ବାଦ ପଠନ ଶୈଳୀ ଆଜିବି ରେଡିଓ ଶ୍ରୋତାଙ୍କ ମନ ଭିତରେ ଛାପ ହୋଇ ରହିଛି। ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପାଠକ ଭାବେ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି। ଚାକିରିରୁ ଅବସର ପରେ ସେ ଆକାଶବାଣୀ କଲୋନୀରେ ରହୁଥିଲେ।
ଆକାଶବାଣୀର ପ୍ରଖ୍ୟାତ ଉଦଘୋଷକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି । ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ପ୍ରକାଶ କରିଛନ୍ତି । ନିଜ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି “ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।“ ସୂଚନାରୁ ପ୍ରକାଶ, ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଗତ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଦିଲ୍ଲୀରେ ଏକ ପ୍ରାଇଭେଟ୍ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ବିୟୋଗ ହୋଇ ଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳି ଯାଇଛି।