ଭଦ୍ରକ : ପ୍ରବଳ ଇଚ୍ଛାଶକ୍ତି ଥିଲେ ସବୁ ଥିରେ ସଫଳତା ମିଳେ। ବୟସ କି ଅର୍ଥ ବାଧା ଦିଏ ନି। ଏମିତି ଜଣେ ସଫଳ କାହାଣୀର ନାୟିକା ସାଜିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କୋରିଗାଁ ପଞ୍ଚାୟତର କଣ୍ଟି ଗାଁର ୫୭ ବର୍ଷ ବୟସର ମହିଳା ସ୍ବର୍ଣ୍ଣଲତା ପତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱମୀ ତାଙ୍କ ଠାରୁ ଅଲଗା ହୋଇଯାଇଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି ଚଳି ଆସୁଛନ୍ତି । ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ସରକାରଙ୍କ ପରିବର୍ତ୍ତୀତ ନିୟମ ଅନୁସାରେ ଜଣେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀ କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା । ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ଚଳିତବର୍ଷ ୫୭ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏହାପରେ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିବାବେଳେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଥିଲେ । ଦୃଢ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି ।