ଝାରସୁଗୁଡା : ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ। ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି। କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା । ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସୂଚନା ଅନୁଯାୟୀ, ଜଣେ ଯୁବକ ମଦ ପିଇ ପୂର୍ବତନ କୁଳପତି ଧୃବରାଜ ନାୟକଙ୍କ ଘରେ ପଶିଥିଲା । ମାତାଲ ଅବସ୍ଥାରେ ଧୃବରାଜଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ । ତେବେ ସେ ଟଙ୍କା ନଦେଇ ପୋଲିସକୁ ଫୋନ କରି ଖବର ଦେବାକୁ ଏଥିରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।