ଭୁବନେଶ୍ବର ୨୬।୧: ରାଜ୍ୟରେ ବୁଧବାରଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ। ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ। ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ସରିଥିବା ବେଳେ ମୋଟ୍ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି। କୋଭିଡରେ ମୋଟ୍ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟକର୍ମୀ। ସୋମବାର ସୁଦ୍ଧା ୧ ଲକ୍ଷ ୭୭ହଜାର ଜଣକୁ ଟିକା ଦିଆଯାଇଥିବା ବେଳେ ବାକି ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କର ଟିକାକରଣ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହେବ। ୧୦ ସୁଦ୍ଧା ଟିକାକରଣ ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼. ବିଜୟ କୁମାର ପାଣିଗ୍ରାହୀ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋ ପ୍ଲାନ୍ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଫ୍ରଣ୍ଟ ଲାଇନ୍ ଓ୍ବାର୍କରଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ଯାଏଁ ଚାଲିବ। ଏହାପରେ ସେମାନଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେବେ। ଅନ୍ୟପଟେ ଟିକାକରଣ ପରେ ଏଯାବତ୍ କାହାଠାରେ ମଧ୍ୟ ପର୍ଶ୍ବପ୍ରତିକ୍ରିୟା ଦେଖା ଯାଇନଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।