ଢେଙ୍କାନାଳ : ହାତୀ ନେଲା ପୁଣି ଏକ ଜୀବନ। ଢେଙ୍କାନାଳ ଜିଲ୍ଲା କପିଳାଶ ବନାଞ୍ଚଳରେ ଜଣେ ବ୍ୟକ୍ତିଙ୍କ କଚାଡି ମାରିଛି ହାତୀ। ମୃତ ବ୍ୟକ୍ତି ବନସିଂହ ଗାଁର ଲକ୍ଷ୍ମଣ ମହାନ୍ତି ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।ଢେଙ୍କାନାଳ ଜିଲ୍ଲା କପିଳାଶ ବନାଞ୍ଚଳରେ ଦନ୍ତାହାତୀର ଉପଦ୍ରବ ଜାରି ରହିଛି। ଲଗାତର ୨ଦିନ ତଳେ ୨ଜଣ ଚାଷୀଙ୍କୁ କଚାଡି ମାରିଥିବା ବେଳେ ପୁଣି ଆଜି ଜଣଙ୍କ ମାରିଦେଇଛି ଦନ୍ତା। ମଙ୍ଗଳବାର ଦିନ ଦନ୍ତା ଆକ୍ରମଣରେ ଲକ୍ଷ୍ମଣ ମହାନ୍ତିଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ମଣ ତାଙ୍କ ଝିଅ ଘର ଦାମୋଦର ନାଳୀକୁ ଆସିଥିଲେ। ଆଜି ଭୋର ସମୟରେ ସେ ଶୌଚ ହେବାକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ଯାହାଫଳରେ ଦନ୍ତାହାତୀ ତାଙ୍କୁ ଟେକି କଚାଡି ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ଅଞ୍ଚଳରେ ଲଗାତର ଭାବେ ହାତୀ ଉପଦ୍ରବ ଜାରି ରହିଛି। ଯାହାକୁ ନେଇ ବନବିଭାଗ ଉପରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଅଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।